ଘୋଷଣା ହେଲା ବାଣପୁର ଓକିଲ ସଂଘର ସଭାପତି ପଦବୀ

Odisha Hot News
1 Min Read

ବାଣପୁର: ବାଣପୁର ଓକିଲ ସଂଘର ସଭାପତି ପଦବୀ ଆଜି ଘୋଷଣା କରାଯାଇଛି। ଶେଷରେ ଦୀର୍ଘ ଦିନ ହେଲା ଝୁଲି ରହିଥିବା ସଭାପତି ପଦ ପାଇଁ ଦ୍ଵନ୍ଦ ଦୂର ହୋଇଛି। ରାଜ୍ୟ ଆଇନଜୀବୀ ପରିଷଦର କେନ୍ଦ୍ରୀୟ ନିର୍ବାଚନ କମିଟି ଘୋଷଣା କଲା ବାଣପୁର ଓକିଲ ସଂଘର ସଭାପତିଙ୍କ ନାମ।

ବରିଷ୍ଠ ଆଇନଜୀବୀ ବୃନ୍ଦାବନ ପ୍ରଧାନଙ୍କୁ ଚଳିତ ବର୍ଷର ବାଣପୁର ଓକିଲ ସଂଘର ସଭାପତି ଭାବେ ଘୋଷଣା କରିଛି ଉକ୍ତ କମିଟି।

ସୂଚନା ଥାଉକି, ଚଳିତ ବର୍ଷ ବାଣପୁର ଓକିଲ ସଂଘ ନିର୍ବାଚନରେ ସଭାପତି ପ୍ରାର୍ଥୀ ଭାବେ ଆଇନଜୀବୀ ବୃନ୍ଦାବନ ପ୍ରଧାନ ଏବଂ ଦେବିପ୍ରସାଦ ସାମନ୍ତରାୟ ନିର୍ବାଚନ ଲଢ଼ି ଉଭୟ ସମାନ ଭୋଟ ପାଇଥିଲେ। ତେବେ ନିର୍ବାଚିତ ସଭାପତି ପଦକୁ ନେଇ କୌଣସି ନିଷ୍କର୍ଷ ନବାହାରିବାରୁ, ବାଣପୁର ଓକିଲ ସଂଘର ନିର୍ବାଚନ ଅଧିକାରୀ ଉକ୍ତ ସଭାପତି ପଦବୀର ବିଚାର ପାଇଁ ରାଜ୍ୟ ଆଇନଜୀବୀ ପରିଷଦକୁ ଲିଖିତ ଭାବେ ଜଣାଇଥିଲେ। ଯାହାଫଳରେ ରାଜ୍ୟ ଆଇନଜୀବୀ ପରିଷଦର କେନ୍ଦ୍ରୀୟ ନିର୍ବାଚନ କମିଟିର ନିଷ୍ପତିକ୍ରମେ, ଉକ୍ତ କାର୍ଯ୍ୟାଳୟରେ ଧର୍ମଗୁଳା ପଡ଼ି ବୃନ୍ଦାବନ ପ୍ରଧାନଙ୍କ ସପକ୍ଷରେ ବାଣପୁର ଓକିଲ ସଂଘ ସଭାପତି ପଦବୀ ପାଇଁ ମତ ପ୍ରକାଶ ପାଇଥିଲା।

ତେବେ ଉକ୍ତ ଘଟଣାକୁ ନେଇ ଦୀର୍ଘ ଦିନ ହେଲା ବାଦନୁବାଦ ଜାରି ରହିଥିବା ବେଳେ ପରିଶେଷରେ ଗତ ୭ ତାରିଖରେ ପତ୍ର ସଂଖ୍ୟା ଓଏସବିସି ୧୩/୨୫ ଜରିଆରେ ରାଜ୍ୟ ଆଇନଜୀବୀ ପରିଷଦର କେନ୍ଦ୍ରୀୟ ନିର୍ବାଚନ କମିଟିର ସୁପାରିଶକ୍ରମେ, ରାଜ୍ୟ ଆଇନଜୀବୀ ପରିଷଦର ସମ୍ପାଦକ ବୃନ୍ଦାବନ ପ୍ରଧାନଙ୍କୁ ବାଣପୁର ଓକିଲ ସଂଘର ଚଳିତବର୍ଷର ସଭାପତି ଭାବେ ଘୋଷଣା କରିଛନ୍ତି।

Share This Article