ପାଣ୍ଡିଆନ ହଟାଅ ଅଭିଯାନ ଜୋରଦାର, ମେଳି ମେଳି ହୋଇ ବୈଠକ କରୁଛନ୍ତି ବିଜେଡି ନେତା ଓ ବିଧାୟକ

Odisha Hot News
2 Min Read

ଭୁବନେଶ୍ବର: ବର୍ତ୍ତମାନ ବିଜେଡିରେ ପାଣ୍ଡିଆନ ହଟାଅ ଅଭିଯାନ ଯୋରଦାର ହେବାରେ ଲାଗିଛି। ତାଙ୍କର କାର୍ଯ୍ୟକଳାପ ନେଇ ବିଜେଡି ନେତାମାନେ ବିତଃସ୍ପୃହ ହୋଇପଡିଲେଣି। ବିଭିନ୍ନ ସମୟରେ ଭି କେ ପାଣ୍ଡିଆନ ବିଜେପି ସୁହାଇଲା ପରି ନିଷ୍ପତି ନେଉଥିବାରୁ ନେତାମାନେ ଅସନ୍ତୁଷ୍ଠ ହୋଇପଡିଛନ୍ତି। ଫଳରେ କେମିତି ତାଙ୍କୁ ହଟାଯିବ ସେ ନେଇ ବିଜେଡି ନେତାମାନେ ବିଭିନ୍ନ ସ୍ଥାନରେ ବୈଠକ କରିବାରେ ଲାଗିଛନ୍ତି।

ଆଜି ପଟିଆ ସ୍ଥିତ କ୍ରାଉନ କ୍ରିଷ୍ଟାଇଲ ହୋଟେଲରେ କେତେକ ନେତା ବୈଠକ କରିଥିଲେ। ଏଥିରେ ଯେଉଁମାନେ ସାମିଲ ହୋଇଥିଲେ ସେମାନେ ହେଲେ ଶଶୀଭୂଷଣ ବେହେରା, ଅଶୋକ ପଣ୍ଡା, ଚନ୍ଦ୍ର ସାରଥୀ ବେହେରା, ଅନଙ୍ଗ ଉଦୟ ସିଂଦେଓ, ପ୍ରଫୁଲ୍ଲ ମଲ୍ଲିକ, ନୃସିଂହ ସାହୁ ଏବଂ ପ୍ରଭାତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ। ହୋଟେଲ ଭିତରକୁ କାହାରିକୁ ଛଡା ଯାଇ ନ ଥିଲା।

ସେହିପରି ଆଉ ଏକ ବୈଠକ ବିଧାୟକ ପ୍ରତାପ ଦେବଙ୍କ ଘରେ କରାଯାଇଥିଲା। ସେଠାରେ ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ଦେବୀ ମିଶ୍ର ଏବଂ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ। ସେଠାରେ ସେମାନେ ବହୁ ସମୟ ଧରି ଆଲୋଚନା କରିଥିଲେ। ସେଠାକୁ ମଧ୍ୟ କାହାରିକୁ ଛଡା ଯାଇ ନ ଥିଲା।

ଅନ୍ୟପଟେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ପୁଣି ଥରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ବିଜେଡିକୁ ଆସିଥିବା ନୂଆ ନେତାମାନେ ବିଜୁ ଆଦର୍ଶ ନବୀନ ନିତି କଣ ଜାଣନ୍ତି ନାହିଁ। ସେମାନେ ଦଳର ଇତିହାସ କଣ ଜାଣନ୍ତି ନାହିଁ। ସେମାନେ କେବଳ ଜଣଙ୍କ ଇସାରରେ ନାଚୁଛନ୍ତି ବୋଲି ଦେବାଶିଷ କହିଛନ୍ତି।

ଏସବୁ ଘଣ୍ଟାଚକଟା ମଧ୍ୟରେ ଆଉ ଏକ ଗୋଷ୍ଠୀର ସୁତ୍ରପାତ ହୋଇଛି। ସେମାନେ ହେଲେ ବିଜେଡି ଯୁବ ଗୋଷ୍ଠୀ। ଏହି ଯୁବ ଗୋଷ୍ଠୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ପାଇଁ ନିଷ୍ପତି କରିଛନ୍ତି। ସେମାନେ ପାଣ୍ଡିଆନ ହଟାଅ ଅଭିଯାନ ନେଇ ଭେଟିବେ ବୋଲି ଜଣାପଡିଛି।

ସେପଟେ ପାଣ୍ଡିଆନ ସପକ୍ଷବାଦୀମାନେ କେବଳ ଅନ୍ୟ ନେତାଙ୍କ ଗତିବିଧିକୁ ଲକ୍ଷ କରିବାରେ ଲାଗିଛନ୍ତି। କିଏ କେଉଁଠି ବୈଠକ କଲା ତାହା ଉପରେ ନଜର ରଖି ପାଣ୍ଡିଆନଙ୍କୁ ଖବର ଦେଉଛନ୍ତି। ସେମାନେ ପାଣ୍ଡିଆନ କିପରି ପୂର୍ବପରି କ୍ଷମତାଶାଳୀ ହୋଇ ରହନ୍ତୁ ଚେଷ୍ଠା କରିବାରେ ଲାଗିଛନ୍ତି।

Share This Article