ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ନିର୍ଯ୍ୟାତନା ଅଭିଯୋଗ, ତଦନ୍ତ କଲେ ଚିଲିକା ଏବିଇଓ

Odisha Hot News
1 Min Read

ବାଲୁଗାଁ: ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଜଣେ ଶିକ୍ଷୟତ୍ରୀ ଅଭିଯୋଗ କରିଥିବା ବେଳେ ଗୁରୁବାର ପୂର୍ବାହ୍ନରେ ଚିଲିକା ଏବିଇଓ ଏନେଇ ତଦନ୍ତ କରିଛନ୍ତି। ଖବର ମୁତାବକ ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ଜଣେ ସହକାରୀ ଶିକ୍ଷୟତ୍ରୀ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଗତ ଫେବୃଆରୀ ୬ ତାରିଖରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ନେଇ ବାଲୁଗାଁ ଥାନାରେ ଅଭିଯୋଗ କରିଥିଲେ। ମାତ୍ର କୌଣସି ନ୍ୟାୟ ନମିଳିବାରୁ ଖୋର୍ଦ୍ଧା ଏସପି ଓ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଚିଲିକା ଏବିଇଓ ଗୀତାଞ୍ଜଳି ନାୟକ, ସିଆରସିସି ସଞ୍ଜୟ କୁମାର ପଣ୍ଡା, ଚାଷଙ୍ଗରା ପ୍ରଧାନ ଶିକ୍ଷୟତ୍ରୀ ଜାନକୀ ଦେଇ ପ୍ରମୁଖ ଉକ୍ତ ଘଟଣା ସମ୍ପର୍କରେ ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳାଦ୍ରୀ ଭୂଷଣ ବେହେରା, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ କିଛି ଅଭିଭାବକଙ୍କ ପ୍ରତିକ୍ରିୟା ନେଇଥିଲେ। ଏସମ୍ପର୍କରେ ଏବିଇଓ ଶ୍ରୀମତୀ ନାୟକଙ୍କୁ ଯୋଗାଯୋଗ କରିବାରେ ଉକ୍ତ ଘଟଣା ନେଇ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ କିଛି ଅଭିଭାବକଙ୍କ ପ୍ରତିକ୍ରିୟା ନିଆଯାଇଛି। ସମସ୍ତ ତଥ୍ୟ ବିଇଓଙ୍କୁ ହସ୍ତାନ୍ତର କରାଯିବା ସହ ତଦନ୍ତ ଜାରି ରହିଛି। ତଦନ୍ତ ପରେ ଏହାର ସତ୍ୟାସତ୍ୟ ଜଣାପଡିବ ବୋଲି କହିଛନ୍ତି।

ଏନେଇ ପ୍ରଧାନ ଶିକ୍ଷକ ଶ୍ରୀ ବେହେରାଙ୍କୁ ଯୋଗାଯୋଗ କରିବାରେ ଏହି ଅଭିଯୋଗ ଭିତ୍ତିହୀନ। ଦୁଇ ଶିକ୍ଷୟତ୍ରୀଙ୍କ ମଧ୍ୟରେ ମନୋମାଳିନୀ ଘଟଣାକୁ ନେଇ ଏଭଳି ମିଥ୍ୟା ଅଭିଯୋଗ ଆଣିଥିବା କହିଛନ୍ତି। ଏସମ୍ପର୍କରେ ଦୁଇ ଥର ବାଲୁଗାଁ ପୋଲିସ ପକ୍ଷରୁ ବିଦ୍ୟାଳୟ ପରିସରରେ ତଦନ୍ତ କରିଥିବା ବେଳେ ବିଦ୍ୟାଳୟର ସିସିଟିଭି ଫୁଟେଜ ପୋଲିସକୁ ଦିଆଯାଇଛି। ପୋଲିସ ଏହାର ତଦନ୍ତ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି।

Share This Article