ଶ୍ରୀମନ୍ଦିର ପାଳିଆ ସେବକ ମାନଙ୍କୁ ଦିଆଯିବ ପ୍ରଶିକ୍ଷଣ

Odisha Hot News
1 Min Read

ପୁରୀ: ଆଗାମୀ ରଥଯାତ୍ରା କୁ ଶୃଙ୍ଖଳିତ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯିବ ବଡ ପ୍ରୟାସ। ଭକ୍ତଙ୍କୁ ଉତ୍ତମ ଆଚାର ବ୍ୟବହାର ସହ ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ ଭାବେ କରିବା ନେଇ ଶ୍ରୀମନ୍ଦିର ପାଳିଆ ସେବକ ମାନଙ୍କୁ ଦିଆଯିବ ପ୍ରଶିକ୍ଷଣ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ନେଇ ଆଗାମୀ ଏପ୍ରିଲ ୪ ଓ ୫ ତାରିଖ ଦୁଇଦିନ ଧରି ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ନୀଳାଦ୍ରି ଭକ୍ତ ନିବାସ ପରିସରରେ ଏହି ପ୍ରଶିକ୍ଷଣ ଅନୁଷ୍ଠିତ ହେବ।

ଶ୍ରୀମନ୍ଦିର ବରିଷ୍ଠ ଅଧିକାରୀଙ୍କ ସହ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ, ମହାପ୍ରଭୁଙ୍କ ନୀତିକାନ୍ତି ଉପରେ ଅଭିଜ୍ଞ ଓ ବରିଷ୍ଠ ସେବାୟତ ମାନେ ଏଥିରେ ଯୋଗଦେଇ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଅଛି। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କୁ କେଉଁଭଳି ବ୍ୟବହାର କରିବେ, ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ଓ କେଉଁ ପ୍ରକ୍ରିୟାରେ ହେବ, ସବୁର ଟିଖିନିଖି ପ୍ରଶିକ୍ଷଣ ଦିଆଯିବ।

ମହାପ୍ରଭୁଙ୍କ ଦୈନନ୍ଦିନ ସେବାରେ ନିୟୋଜିତ ସେବାୟତମାନେ ଏହି ପ୍ରଶିକ୍ଷଣ ନେବେ। ଏଣୁ ସମସ୍ତ ନିଯୋଗକୁ ଆଗାମୀ ଏପ୍ରିଲ ୨ ତାରିଖ ସୁଦ୍ଧା ପ୍ରଶିକ୍ଷଣରେ ନେବାକୁ ଥିବା ପାଳିଆ ସେବକଙ୍କ ନାମ, ଠିକଣା ଓ ଯୋଗାଯୋଗ ନମ୍ବର ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିବାକୁ ଚିଠି ମାଧ୍ୟମରେ ଅବଗତ କରାଯାଇଅଛି।

Share This Article