ଏଣିକି ଶ୍ରମିକ କଲ୍ୟାଣ ବୋର୍ଡ କାର୍ଯ୍ୟ ହେବ ସରଳ, ଅନଲାଇନରେ ହେବ ସଂଯୋଗ

Odisha Hot News
1 Min Read

ଭୁବନେଶ୍ବର: ଶ୍ରମିକଙ୍କ କଲ୍ୟାଣ ଓ କାର୍ଯ୍ୟ ସହଜ କରିବା ପାଇଁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼  ଅଧୀନରେ ସେସ୍ (ଉପ-କର) ଆଦାୟ ସଂକ୍ରାନ୍ତରେ ସଫ୍ଟୱେର୍ ସଂଯୋଗ ସମସ୍ୟାର ସମାଧାନ କରି ଏହାକୁ ସମନ୍ୱିତ କରିବା ପରିପ୍ରେକ୍ଷୀରେ ରାଜ୍ୟ ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ବୈଠକ  ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା ।

ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ୍ ସେସ୍ ସଂଗ୍ରହକାରୀମାନେ ଆଦାୟ କରୁଥିବା ସେସ୍ ଅର୍ଥକୁ ବୋର୍ଡକୁ ନିରବଚ୍ଛିନ୍ନ ଭାବେ ନିର୍ଦ୍ଧାରିତ ସମୟ ମଧ୍ୟରେ ଜମା କରିବା ଏବଂ ଏଥିପାଇଁ  ନିର୍ମାଣ ଶ୍ରମିକ ପୋର୍ଟାଲ ସହିତ ସଫ୍ଟଓୟାର ଏକୀକରଣର ଆବଶ୍ୟକତା ରହିଥିବା ସଂପର୍କରେ ସେ ସୂଚନା ଦେଇଥିଲେ । ଏହି ସମନ୍ୱିତ ବ୍ୟବସ୍ଥା ନିଶ୍ଚିତ ଭାବରେ ଆଗାମୀ ବର୍ଷଗୁଡ଼ିକରେ ବୋର୍ଡର ସେସ୍ ଆଦାୟକୁ ବୃଦ୍ଧି କରିବାରେ ସହାୟକ ହେବ ବୋଲି ସେ ପ୍ରକାଶ କରିଥିଲେ ।

ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ବାଣିଜ୍ୟ ଓ ପରିବହନ ବିଭାଗର  ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀ,  ବିଡିଏ ଉପାଧ୍ୟକ୍ଷ ଡ. ଏନ୍ ଥିରୁମାଲା ନାୟକ, ଶ୍ରମ କମିଶନର ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅତିରିକ୍ତ ଶାସନ ସଚିବ, ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନରଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଏବଂ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର କର୍ମକର୍ତ୍ତାମାନେ ଉପସ୍ଥିତ ରହି ନିଜର ମୂଲ୍ୟବାନ ପରାମର୍ଶ ଦେଇଥିଲେ ।

Share This Article