ଭକ୍ତମାନଙ୍କୁ ସୁନାବେଶରେ ଦର୍ଶନ ଦେଲେ ଶ୍ରୀ ନୀଳମାଧବ

Odisha Hot News
1 Min Read

ଭୁବନେଶ୍ଵର: ପବିତ୍ର ପୌଷ ପୂର୍ଣ୍ଣିମା ଅବସରରେ ଶ୍ରୀଜଗନ୍ନାଥଙ୍କ ଆଦିପୀଠ ନୟାଗଡ଼ ଜିଲ୍ଲା କଣ୍ଟିଲୋରେ ବିଜେ କରିଥିବା ନୀଳମାଧବଙ୍କର ଆଜି ପ୍ରସିଦ୍ଧ ସୁନାବେଶ ଅନୁଷ୍ଠିତ ହୋଇଛି।ଶ୍ରୀଜୀଉଙ୍କ ପହଡ଼ ଭଙ୍ଗ ଓ ମଙ୍ଗଳ ଆଳତି ପରେ ମଇଲମ, ତଡପ ଲାଗି ଓ ଅବକାଶ କରାଯାଇଥିଲା। ଏହାପରେ ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ବାରପାଳ ପୂଜା, ବଲ୍ଲଭ, ସକାଳ ଧୂପ, ଭଅଣ୍ଡ ପୂଜା ଧୂପ ଓ ହୋମ ପୂର୍ବ ନିର୍ଘଣ୍ଟ ବିଧିବିଧାନ କ୍ରମେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଜୀଉଙ୍କୁ ସୁନାଗହଣା ପିନ୍ଧାଯାଇ ସୁନ୍ଦର ଭାବେ ସଜ୍ଜିତ କରାଯାଇଛି।

ଏହି ଅବସରରେ ନୀଳମାଧଵଙ୍କୁ ସୁବର୍ଣ୍ଣ କିରଟି,ସ୍ବର୍ଣ୍ଣ ଶ୍ରୀପୟର,ଚିତା, କିଆଠିଆ, ମୁଖମଣ୍ଡଳ, ଆଭା, କର୍ଣ୍ଣକାପ, କୁଣ୍ଡଳ, ବକ୍ଷ,କବଚ, କଣ୍ଠିମାଳି, ସେବତୀ, ହରିଡ଼ା, ଅଁଳା ମାଳି, କମରପଟି, ଶ୍ରୀଭୁଜ, ଶଙ୍ଖ ସହିତ ସୁବର୍ଣ୍ଣ ସୁଦର୍ଶନ ଚକ୍ର ଧାରଣ କରିଛନ୍ତି। ଶ୍ରୀ ଜୀଉଙ୍କର ସୁନାବେଶ ଉତ୍ସବ ନିମନ୍ତେ ଦେବୋତର ବିଭାଗ ତଥା ମନ୍ଦିର କତ୍ତୃପକ୍ଷଙ୍କ ପକ୍ଷରୁ ସ୍ବତନ୍ତ୍ର ପୂଜାର୍ଚ୍ଚନାର ବ୍ୟବସ୍ଥା କରାଯାଇଥିଲା।

ସୂଚନା ଯୋଗ୍ୟ ଯେ, ନିରାପତ୍ତା ଦୃଷ୍ଟିରୁ କୋଣରୁ ଶ୍ରୀ ଜୀଉଙ୍କର ସୁନା ଓ ରୂପା ଅଳଙ୍କାର ଗୁଡିକ ଖଣ୍ଡପଡା ସବ୍-ଟ୍ରେଜେରୀରେ ଗଚ୍ଛିତ କରାଯାଇଅଛି। ସୁନାବେଶ ଅବସରରେ ସେଠାରୁ ଏସବୁ ଅଳଙ୍କାର ଗୁଡିକ ଅଣାଯାଇ ପ୍ରଭୁ ଶ୍ରୀନୀଳମାଧବଙ୍କୁ ଆଭୂଷଣ କରାଯାଇଥିଲା। ବର୍ଷକରେ ଥରେ ମାତ୍ର ପ୍ରଭୁ ସୁନାବେଶରେ ସଜ୍ଜିତ ହୋଇ ଭକ୍ତ ତଥା ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥାନ୍ତି।

Share This Article