ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ୨୦୨୨ ଜାନୁଆରୀ ମାସରେ ସୋରଡ଼ା ଥାନାରେ ଦାଏର ଏକ ନାବାଳିକା ଦୁଷ୍କର୍ମ ମାମଲାର ଆଜି ଶୁଣାଣି ହୋଇଛି। ଏହି ମାମଲାରେ ମାନ୍ୟବର ଜିଲ୍ଲା ସ୍ବତନ୍ତ୍ର ପୋକ୍ସ ଅଦାଲତ ଜଜ୍ ପ୍ରଣତି ପଟ୍ଟନାୟକ ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି। ଏହା ସହିତ ଜରିମାନା ଅନାଦେୟ ଆଉ ଏକ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥି ସହିତ ପୀଡ଼ିତା ନାବାଳିକାକୁ ୧୦ ଲକ୍ଷ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶ ଥାଉକି ଘଟଣା ଦିନ ପୀଡ଼ିତା ନାବାଳିକା ଜଣକ ଘର କିଛି ଜିନିଷ ଆଣି ଘରକୁ ଫେରିବା ବେଳେ ଅଭିଯୁକ୍ତ ପ୍ରସନ୍ନ ନାୟକ ତାଙ୍କୁ ଉଠାଇ ନେଇ ନିକଟସ୍ଥ ସ୍କୁଲରେ ଜବରଦସ୍ତ ଦୁଷ୍କର୍ମ କାମ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲା। ପୀଡ଼ିତା ଜଣକ ଘରକୁ ଆସି ଅନ୍ଧୁଣୀ ମାଁ କୁ ଜଣାଇବା ପରେ ମାଁ ଓ ଝିଅ ଦୁହେଁ ମିଶି ସୋରଡ଼ା ଥାନାରେ ଅଭିଯୋଗ କରିଥିଲେ।

ଥାନା ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ ପ୍ରସନ୍ନକୁ ଗିରଫ କରି ଅଦାଲତରେ ଚାର୍ଜସିଟ୍ ଦାଖଲ କରିଥିଲେ। ମୋଟ ୧୫ ଜଣଙ୍କର ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ମାନ୍ୟବର ଜିଲ୍ଲା ସ୍ବତନ୍ତ୍ର ପୋକ୍ସ ଅଦାଲତ ଜଜ୍ ଉକ୍ତ ରାୟ ପ୍ରକାଶ କରିଛନ୍ତି।

Share This Article