ସର୍କିଟ୍ ହାଉସ୍‌ରେ ବିଧାୟକଙ୍କ ଗାଡ଼ି ପୋଡ଼ି ଘଟଣାରେ ଅଭିଯୁକ୍ତ ଗିରଫ

Odisha Hot News
1 Min Read

ଭୁବନେଶ୍ଵର: ଫୁଲବାଣୀ ସର୍କିଟ୍ ହାଉସ୍‌ରେ ବାଇକ୍ ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଟାଉନ ଥାନା ପୋଲିସ। ଅଭିଯୁକ୍ତ ଜଣକ ହେଲେ ଟାଉନ ଥାନା ଅନ୍ତର୍ଗତ ଡାମିଗାଁର ସୁଜିତ ବେହେରା। ସେ ସ୍ଥାନୀୟ ବନ ବିଭାଗ ଅଧୀନରେ ଫରେଷ୍ଟର ଭାବେ କାର୍ଯ୍ୟରତ ଅଛନ୍ତି। ପୂର୍ବ ଶତ୍ରୁତା ଯୋଗୁଁ ଏଭଳି କାଣ୍ଡ ଘଟାଇଥିବା ଅତିରିକ୍ତ ଏସପି ସ୍ନେହାଶୀଷ ସାହୁ ଦେଇଛନ୍ତି।

ସୂଚନାନୁଯାୟୀ ସୁଜିତ ବେହେରାଙ୍କ ମା’ ପୂର୍ବରୁ ଫୁଲବାଣୀ ସର୍କିଟ ହାଉସ୍‌ରେ କାମ କରୁଥିଲେ। ତାଙ୍କୁ କୌଣସି କାରଣରୁ ସେଠାରୁ ବାହାର କରି ଦିଆଯାଇଥିଲା। ଏହାକୁ ନେଇ ସୁଜିତ ଆକ୍ରୋଶମୂଳକ ଭାବେ ଗତ ୨୬ ତାରିଖ ରାତିରେ ସର୍କିଟ୍ ହାଉସ୍ ପରିସରରେ ଥିବା ଜଣେ କର୍ମଚାରୀଙ୍କ ସ୍କୁଟିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ସ୍କୁଟି ସମେତ ପାଖରେ ଥିବା ଅନ୍ୟ ଏକ ବାଇକ୍ ସମ୍ପୂର୍ଣ ପୋଡି ଯାଇଥିଲା। ନିକଟରେ ଥୁବା ଫୁଲବାଣୀ ବିଜେପି ବିଧାୟକ ଉମାଚରଣ ମଲିକଙ୍କ ଇନୋଭା କାର ମଧ୍ୟ ପୋଡ଼ି ଯାଇଥିଲା।

ଘଟଣାକୁ ଗୁରୁତର ସହ ନେଇ ଆରକ୍ଷୀ ଅଧୀକ୍ଷକ ହରିଶ ବିସିଙ୍କ ନିର୍ଦ୍ଦେଶ କ୍ରମେ ସଦର ଏସଡିପିଓ ସୁବ୍ରତ ବେହେରା ଓ ଟାଉନ ଥାନା ଅଧିକାରୀ କନକ କୁମାର ମାଝୀଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ କରାଯାଇଥିଲା। ଶନିବାର ଅଭିଯୁକ୍ତ ସୁଜିତକୁ ଫୁଲବାଣୀ ସହର ନିକଟରୁ ଗିରଫ କରାଯାଇଥିବା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି।

ଅଭିଯୁକ୍ତ ବିରୋଧରେ ପୂର୍ବରୁ ମଧ୍ୟ ପାଞ୍ଚଟି ଅପରାଧିକ ମାମଲା ଥିବା କୁହାଯାଇଛି। ଏଥିସହ ଡିସେମ୍ବର ୨୭ ତାରିଖ ରାତିରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ହୋଇଥିବା ଅନ୍ୟ ଏକ ବାଇକ୍ ପୋଡି ଘଟଣାର ଅଭିଯୁକ୍ତକୁ ମଧ୍ୟ ଠାବ କରିବାରେ ପୁଲିସ ସଫଳ ହୋଇଛି। ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ସ୍ନେହାସିସ ସାହୁ।

Share This Article