ନବରଙ୍ଗପୁର ଜିଲ୍ଲା ମଣ୍ଡିରୁ ଉଠିଲାଣି ୨ ଲକ୍ଷ ୪ ହଜାର ୮୧୬ କ୍ୱିଣ୍ଟାଲ ଧାନ

Odisha Hot News
2 Min Read

ଭୁବନେଶ୍ଵର: ନବରଙ୍ଗପୁର ଜିଲ୍ଲାରେ ୧୦ ତାରିଖରୁ ଧାନ ମଣ୍ଡି ଆରମ୍ଭ ହୋଇଛି। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରୁ ୧୨ ଲକ୍ଷ ୮୩ ହଜାର ୬୭୧ କ୍ୱିଣ୍ଟାଲ ୬୪ କିଲୋ ଧାନ କିଣାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ରହିଛି। ଜିଲ୍ଲାରେ ୪୨ ହଜାର ୪୧୧ ଚାଷୀ ପଞ୍ଜିକରଣ କରିଛନ୍ତି। ଗୁରୁବାର ୨୬ ତାରିଖ ସୁଦ୍ଧା ୪ ହଜାର ୫୦୨ ଚାଷୀଙ୍କ ଠାରୁ ୨ ଲକ୍ଷ ୪ ହଜାର ୮୧୬ କ୍ୱିଣ୍ଟାଲ୨୮ କିଲୋ ଧାନ କିଣାଯାଇଛି।

ତେବେ ସରକାର ଏଫ ଏ କ୍ୟୁ ଧାନ ମଣ୍ଡିରୁ କିଣାଯିବ ବୋଲି ନିର୍ଦ୍ଧାରିତ କରିଥିବା ବେଳେ ମିଲ ମାଲିକଙ୍କ ସହମତି ନହେଲେ ମଣ୍ଡିରୁ ଧାନ ଉଠୁନାହିଁ। ଅନ୍ୟ ପକ୍ଷରେ ଅଦିନିଆ ବର୍ଷା ଯୋଗୁ ବିଭିନ୍ନ ଅନେକ ମଣ୍ଡିରେ ଧାନ ଭିଜି ଯାଇଛି। ଭିଜା ଧାନ ଯୋଗୁଁ ମିଲ ମାଲିକ ମାନେ ଏବେ ଚିନ୍ତାରେ ରହିଛନ୍ତି। ଏଫ ଏ କ୍ୟୁ ଧାନ ମଣ୍ଡିକୁ ଆସିବ କି ନାହିଁ ତାହା ମଧ୍ୟ ସନ୍ଦେହ ରହିଛି। ଧାନର ରଙ୍ଗ ବଦଳିଲେ ଚାଷୀଙ୍କ ଚିନ୍ତା ମଧ୍ୟ ବଢିଯିବ। ଏଫ ଏ କ୍ୟୁ ଧାନ କିଣା ଯାଉଥିବାରୁ ଅଦିନିଆ ବର୍ଷା ପାଇଁ ଚାଷୀ ଚିନ୍ତାରେ ରହିଛନ୍ତି। ଜିଲ୍ଲାରେ ୧୩ ଟି ଲ୍ୟାମ୍ପ, ୪୪ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ୨ଟି ପାଣି ପଞ୍ଚାୟତ ଜିଲ୍ଲାରେ ଧାନ କିଣୁଛନ୍ତି। ଏଜେନ୍ସି ମାନେ ଧାନ କିଣିଲେ ମିଲ ମାନେ ଧାନ ଉଠାଇବେ।

ଅନ୍ୟ ପକ୍ଷରେ ଏଫ ଏ କ୍ୟୁ ଧାନ ସରକାର କିଣିବେ ଓ କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କା ଚାଷୀ ପାଇବ। ତେବେ ୫୯ ମଣ୍ଡି ପରିଚାଳନା ସଠିକ ଭାବେ ହେଉଛିକି ନାହିଁ ସେନେଇ ପ୍ରତ୍ୟେକ ମଣ୍ଡି ପାଇଁ ଜଣେ ଲେଖାଏଁ ନୋଡାଲ ଅଧିକାରୀ ଓ ୧୯ ଜଣ ସୁପରଭାଇଜର ନିୟୋଜିତ କରାଯାଇଛି। ତହସିଲଦାରଙ୍କ ନେତୃତ୍ୱରେ ୧୧ଟି ସ୍କ୍ବାର୍ଡ ଗଠନ କରାଯାଇଛି। ଜିଲ୍ଲାର ଛତିଶଗଡ଼ ସୀମାବର୍ତ୍ତି ୪ଟି ଫାଟକରେ କଡାକଡି ଯାଞ୍ଚ ରହିଛି।

Share This Article