ରାଜସୁନାଖଳା ମହୋତ୍ସବ କାଉଁରୀ-୨୦୨୪ ଉଦ୍‌ଯାପିତ

Odisha Hot News
1 Min Read

ରଣପୁର: ପ୍ରତିଟି କ୍ଷେତ୍ରରେ ସ୍ୱଦେଶୀକୁ ଗୁରୁତ୍ବ ଦେଲେ ଗାଁ ସମେତ ରାଜ୍ୟ ଓ ଦେଶର ବିକାଶ ସମ୍ଭବ ବୋଲି ନୟାଗଡ଼ ଜିଲା ରାଜସୁନାଖଳା ମହୋତ୍ସବ କାଉଁରୀ-୨୦୨୪ର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ରଘୁବର ଦାସ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି। ମହୋତ୍ସବ ତଥା ମେଳା ଗାଁର ଭାଇମାନଙ୍କ ମଧ୍ୟରେ ଭାଇଚାରା ଭାବ ସୃଷ୍ଟି କରିଥାଏ।

ମହୋତ୍ସବକୁ ଗାଁ ଗହଳିର ଭାଇ ଭଉଣୀ ମାନେ ବିଭିନ୍ନ ସାମଗ୍ରୀ ଆଣି ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ବିଦେଶୀ ସାମଗ୍ରୀ ବ୍ୟବହାର କଲେ ଅର୍ଥ ଅଞ୍ଚଳକୁ ଯାଇ ସେଠାକାର ବିକାଶ ହୋଇଥାଏ। ତେଣୁ ସଦାସର୍ବଦା ସ୍ଵଦେଶୀ ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟପାଳ କହିଥିଲେ। ମହୋତ୍ସବ କମିଟିର ସଭାପତି ଚିତ୍ତରଞ୍ଜନ ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ମନୋଜ୍ଞ ସମାରୋହରେ ଓଡ଼ିଶା ବିଧାନସଭାର ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ,ରାଜ୍ୟ ପଞ୍ଚାୟତରାଜ,ପାନୀୟଜଳ ଓ ଗ୍ରାମ୍ୟଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ,ଖାଦ୍ୟ ଯୋଗାଣ,ଖାଉଟିକଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର,ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ,ସମାଜସେବୀ ଶିବରାମ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଭଦ‌ବୋଧନ ଦେଇଥିଲେ।

ଏହି ଅବସରରେ ଆସାମ, ମଣିପୁର, କଲିକତା, ତାମିଲନାଡୁ ଆଦି ରାଜ୍ୟରୁ କଳାକାରମାନେ ଆସି ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ। ଥଣ୍ଡା ସଙ୍ଗେ ବହୁ ସଂଖ୍ୟକ ଲୋକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଜୟେନ୍ଦ୍ର ବେହେରା ସଂଯୋଜନା କରିଥିଲେ।

Share This Article