ଓଡ଼ିଶା ବିଧାନସଭାର ପ୍ରଥମ ବାଚସ୍ପତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଆର୍ଯ୍ୟ ଜ୍ଞାନେନ୍ଦ୍ର

Odisha Hot News
1 Min Read

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧିବାଦୀ ଜନନେତା, ଓଡ଼ିଶା ବିଧାନସଭାର ପ୍ରଥମ ବାଚସ୍ପତି ସ୍ୱର୍ଗତ ମୁକୁନ୍ଦ ପ୍ରସାଦ ଦାସଙ୍କ ୫୫ତମ ଶ୍ରାଦ୍ଧ ଦିବସରେ ଗତକାଲି ପୂଜ୍ୟପ୍ରଣାମ ଟ୍ରଷ୍ଟ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ପାଳନ ପରେ ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ନେତୃତ୍ୱରେ ଏକ ତିନିଜଣିଆ ପ୍ରତିନିଧି ମଣ୍ଡଳୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟି ରାଜଧାନୀରେ ସ୍ୱର୍ଗତ ଦାସଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରିବା ସହ ବାଲେଶ୍ୱର ସହରର ଏକ ମୁଖ୍ୟ ରାସ୍ତାକୁ ତାଙ୍କ ନାମରେ ନାମକରଣ କରିବାକୁ ଦାବୀପତ୍ର ପ୍ରଦାନ କରିଥିଲେ।

ଗତ ୨୧ ବର୍ଷ ଧରି ରାଜଧାନୀରେ ପୂଜ୍ୟପ୍ରଣାମ ଟ୍ରଷ୍ଟର ପୂଜ୍ୟପୂଜା କାର୍ଯ୍ୟକ୍ରମ ସମ୍ପର୍କରେ ଉପାଧ୍ୟକ୍ଷ ଶ୍ରୀ ସୀତାବଲ୍ଲଭ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ଟ୍ରଷ୍ଟି ଶ୍ରୀ ପ୍ରଜ୍ଞାରାଜ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ଗାନ୍ଧୀ ମଣିଷ ଦୋଳଗୋବିନ୍ଦ ପ୍ରଧାନଙ୍କ ଜୀବନୀ ପୁସ୍ତକ ପ୍ରଦାନ କରିଥିଲେ।
ଆଲୋଚନାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୁକୁନ୍ଦ ପ୍ରସାଦ ଦାସଙ୍କ ପ୍ରତିମୂର୍ତ୍ତି ସହ ରାଜ୍ୟର ବିଶିଷ୍ଟ ମହାପୁରୁଷ ମାନଙ୍କର ପ୍ରତିମୂର୍ତ୍ତି ରାଜ୍ୟ ରାଜଧାନୀ ଓ ଜିଲ୍ଲା ସଦର ମହକୁମା ମାନଙ୍କରେ ପ୍ରତିଷ୍ଠା କରିବା ପାଇଁ ଆମ ସରକାର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ରାଜ୍ୟ ସରକାରଙ୍କ ପକ୍ଷରୁ ପାଳନ ହେଉଥିବା ବିଷୟରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

Share This Article