ଚିଲିକାରେ ବିଜେପି-ବିଜେଡି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି: ଉଭୟ ପକ୍ଷରୁ ବାଣପୁର ଥାନାରେ ଏତଲା

Odisha Hot News
2 Min Read

ବାଣପୁର: ସାଧାରଣ ନିର୍ବାଚନ ଶେଷ ହେବାର କିଛି ମାସ ପରେ ଚିଲିକା ନିର୍ବାଚନମଣ୍ଡଳୀରେ ଦେଖାଦେଇଛି ରାଜନୈତିକ ଉଷ୍ମତା। ପଞ୍ଚାୟତ ବୈଠକରେ ବିଜେପି ଓ ବିଜେଡି ସମର୍ଥିତ ଜନ ପ୍ରତିନିଧିଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଏବଂ ପରେ ଥାନାକୁ ଯାଇଛି ମାମଲା। ଉଭୟ ପକ୍ଷଙ୍କ ପକ୍ଷରୁ ୨ ଗୋଟି ପୃଥକ ପୃଥକ ଏତଲା ଦିଆଯାଇଥିବା ବେଳେ ଦୁଇ ଗୋଟି ମାମଲା ରୁଜୁ ହେବା ସହ ତଦନ୍ତ ଆରମ୍ଭ ହୋଇଥିବା ବାଣପୁର ଆଇଆଇସି ରମେଶ କୁମାର ଦେବତା କହିଛନ୍ତି।

ସୂଚନା ମୁତାବକ ବାଣପୁର ବ୍ଲକ କୁମାରାଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ମାସିକ ବୈଠକ ଜାରି ରହିଥିବା ବେଳେ ୧୨ ନମ୍ବର ୱାର୍ଡ ର ବିଜେପି ସମର୍ଥିତ ୱାର୍ଡ ସଭ୍ୟା ରଶ୍ମିତା ହୋତା ଗତ ରବିବାର ଦିନ ପଞ୍ଚାୟତ କାର୍ଯ୍ୟାଳୟରେ ବିନା ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତି ଏବଂ ନିର୍ବାଚିତ ପ୍ରତିନିଧିଙ୍କ ଅଜାଣତରେ କିପରି ପିଡ଼ିଏସ ସାମଗ୍ରୀ ବଣ୍ଟନ କରାଗଲା ବୋଲି ପ୍ରଶ୍ନ କରିଥିଲେ। ଉକ୍ତ ପ୍ରଶ୍ନରେ ଉତକ୍ଷିପ୍ତ ହୋଇ ସରପଞ୍ଚ ସରୋଜିନୀ ପ୍ରଧାନ ୱାର୍ଡ ସଭ୍ୟା ଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ ଏବଂ ଅନ୍ୟ ଜଣେ ୱାର୍ଡ ସଭ୍ୟାଙ୍କୁ ଜାତିଆଣ ଆକ୍ଷେପ କରିଥିବା ବିଜେପି ସମର୍ଥିତ ୱାର୍ଡ ସଭ୍ୟାଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।

ସେହିପରି ଭାବେ ବିଜେପି ସମର୍ଥିତ ୱାର୍ଡ ସଭ୍ୟା ବୈଠକ ଚାଲୁଥିବା ସମୟରେ ମୋବାଇଲରେ ବୈଠକର ଭିଡିଓ ଉତ୍ତୋଳନ କରୁଥିବାରୁ ସରପଞ୍ଚ ଏହାକୁ ବିରୋଧ କରିଥିଲେ ଏବଂ ବାରଣ କରିବାକୁ ସରପଞ୍ଚଙ୍କୁ ୱାର୍ଡ ସଭ୍ୟାମାନେ ଗାଳିଗୁଲଜ କରିଥିବା ବିଜେଡି ସମର୍ଥିତ ସରପଞ୍ଚଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଉଭୟ ଅଭିଯୋଗ କୁ ଆଧାର କରି ପୋଲିସ ଜାତିଆଣ ଆକ୍ଷେପକୁ ମିଶାଇ କେସ ନମ୍ବର ୩୬୩/୨୪ ଏବଂ ୩୬୪/୨୪ ରେ ଦୁଇ ଗୋଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛି। ତେବେ କିଛି ମାସର ଶାନ୍ତି ପରେ ଚିଲିକାରେ ବିଜେପି ବିଜେଡି ମଧ୍ୟରେ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି।

Share This Article