ନିଲାମ ହେଲା ୧୦ ହଜାର ୩୨୨ କୁଇଣ୍ଟାଲ ଅର୍ପଣ ଚାଉଳ, ଜାଣନ୍ତୁ କେତେ ମିଳିଲା ଟଙ୍କା

Odisha Hot News
1 Min Read

ପୁରୀ: ଶେଷରେ ବହୁ ବାଦବିବାଦ ପରେ ଆଜି ଶ୍ରୀମନ୍ଦିରକୁ ମିଳିଥିବା ଅର୍ପଣ ଚାଉଳ ନିଲାମ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ସେ କହିଛନ୍ତି ଯେ, କୁଇଣ୍ଟାଲ ପିଛା ୨୭୮୦ ଟଙ୍କାରେ ଏହି ଅର୍ପଣ ଚାଉଳ ନିଲାମ ହେଲା। ମୋଟ ବଳକା ଥିବା ୧୦ ହଜାର ୩୨୨ କୁଇଣ୍ଟାଲ ଚାଉଳ ନିଲାମ ହେଲା। ଏଥିରୁ ମୋଟ ୨ କୋଟି ୮୬ ଲକ୍ଷ ଟଙ୍କା ମିଳିଲା ବୋଲି କହିଛନ୍ତି ଜିଲ୍ଲାପାଳ।

ଗତ ସରକାର ଅମଳରେ ଶ୍ରୀମନ୍ଦିର ପରିକ୍ରମା ପାଇଁ ସାରା ଓଡିଶାରୁ ଅର୍ପଣ ଚାଉଳ ମଗାଯାଇଥିଲା। ଏଥିରେ ଜଗନ୍ନାଥ ଭକ୍ତମାନେ ବହୁ ପରିମାଣର ଚାଉଳ ପ୍ରଦାନ କରିଥିଲେ। ତେବେ ସେହି ସଂଗୃହିତ ଚାଉଳରୁ ଭୋଗ ପାଇଁ ଯାହା ବ୍ୟବହାର ଯୋଗ୍ୟ ତାହା ଲାଗି କରାଯାଇଥିଲା। ହେଲେ ଅନ୍ୟ ଚାଉଳ ସବୁ ବଳକା ରହିଥିଲା। ଏହି ଚାଉଳ କଣ କରାଯିବ ସେ ନେଇ ପ୍ରଶାସନ ଚିନ୍ତାରେ ଥିଲା।

ତେବେ ଜିଲ୍ଲାପାଳଙ୍କ କହିବା ଅନୁସାରେ ଏହି ଖରାପ ଚାଉଳ ସବୁକୁ ନିଲାମ କରି ବିକ୍ରି କରିବା ପାଇଁ ସରକାରଙ୍କୁ ଚିଠି କରାଯାଇଥିଲା। ସରକାରଙ୍କ ତରଫରୁ ଅନୁମତି ମିଳିବା ପରେ ଏହି ଅକ୍ଟୋବର ୧ ତାରିଖରେ ନିଲାମ ହେବ ବୋଲି ସୂଚନା ଦିଆଯାଇଥିଲା। ମିଲରମାନେ ଚାଉଳ ଗଛିତ ସ୍ଥାନ ଦେଖି, ସେହିଠାରେ ନିଲାମରେ ଭାଗ ନେବେ ବୋଲି କୁହାଯାଇଥିଲା। ସେହି ଅନୁସାରେ ଆଜି ନିଲାମ ପକ୍ରିୟା ଶେଷ ହେଇଛି।

Share This Article