ଆଇଏନଏସ ଚିଲିକା ପରିଦର୍ଶନ କଲେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଅନୀଲ ଚୌହାନ

Odisha Hot News
1 Min Read

ଭୁବନେଶ୍ଵର: ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ଅନୀଲ ଚୌହାନ ୦୧ ଜୁନ୍, ୨୦୨୪ ତାରିଖ ଦିନ ଆଇ.ଏନ.ଏସ. ଚିଲିକା ଗସ୍ତରେ ଆସି ଭାରତୀୟ ନୌସେନାର ଅଗ୍ନିବୀରମାନଙ୍କ ଅଗ୍ରଣୀ ତାଲିମ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି। ଭାରତୀୟ ନୌସେନାର ନୌ-ବୀର ମାନଙ୍କ ଭବିଷ୍ୟତ ଗଠନ କରିବାରେ ଆଇଏନଏସ ଚିଲିକା ନିର୍ବାହ କରିଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସିଡିଏସଙ୍କୁ ଅବଗତ କରାଯାଇଥିଲା। ଚିଲିକାରେ ଅଗ୍ନିବୀରମାନଙ୍କୁ ଏପର୍ଯ୍ୟନ୍ତ ବିଭିନ୍ନ ବ୍ୟାଚରେ ଦିଆଯାଇଥିବା ତାଲିମ କାର୍ଯ୍ୟକ୍ରମ ସମ୍ପର୍କରେ ସାମଗ୍ରିକ ବିଶ୍ଳେଷଣାତ୍ମକ ସୂଚନା ପ୍ରଦାନ କରାଯାଇଥିଲା।

ଏହି ଗସ୍ତ ଅବସରରେ ସିଡିଏସ ଅଗ୍ନିବୀରମାନଙ୍କ ସହିତ ଭାବ ବିନିମୟ କରିଥିଲେ। ସେମାନଙ୍କୁ ଉଦବୋଧନ ଦେବା ଅବସରରେ ସେ ‘ଅଗ୍ନିବୀର ଯୋଜନା’ ପ୍ରବର୍ତ୍ତନ କରିବା ପଛରେ ସେନାର ଯୁବ ମାନସିକତାକୁ ବଜାୟ ରଖିବା କାରଣ ରହିଛି ବୋଲି ଉଲ୍ଲେଖ କରିବା ସହିତ ରାଷ୍ଟ୍ର ନିର୍ମାଣ ନିମନ୍ତେ କୁଶଳୀ, ଶୃଙ୍ଖଳିତ ଏବଂ ଉତ୍ସର୍ଗୀକୃତ ଯୁବଶକ୍ତିଙ୍କର ଆବଶ୍ୟକତା ରହିଛି ବୋଲି ସୂଚାଇଥିଲେ। ସିଡିଏସ ଦୃଢ଼ୋକ୍ତି ବ୍ୟକ୍ତ କରି କହିଥିଲେ ଯେ ଅଗ୍ନିବୀରମାନେ ତାଲିମ ଉପରେ ଅଧିକ ମନୋନିବେଶ କରିବା ଉଚିତ ଯଦ୍ୱାରା ସେମାନେ ପ୍ରଯୁକ୍ତି ଦୃଷ୍ଟିରୁ କୁଶଳୀ ନୌଯୋଦ୍ଧାରେ ପରିଣତ ହୋଇପାରିବେ। ଏହି ଭାବ ବିନିମୟ କାର୍ଯ୍ୟକ୍ରମ ଅବସରରେ ସେ ଅଗ୍ନିବୀରମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।

ନୌସେନାର ଅଗ୍ନିବୀର ତାଲିମ ଭିତ୍ତିଭୂମି ସମ୍ପର୍କରେ ଅବଗତ ହେବା ନିମନ୍ତେ, ସିଡିଏସ ତାଲିମ ସଂସାଧନ ସ୍ଥଳୀ ପରିଦର୍ଶନ କରିଥିଲେ  ପରବର୍ତ୍ତୀ ପିଢ଼ିର ନୌଯୋଦ୍ଧା ଗଠନ ନିମନ୍ତେ ଉଚ୍ଚ ଗୁଣାତ୍ମକ ମାନଯୁକ୍ତ ତାଲିମ ପ୍ରଦାନ କରୁଥିବାରୁ ସିଡିଏସ ପ୍ରଶିକ୍ଷଣ ଅନୁଷ୍ଠାନର ତାଲିମଦାତାମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ।

Share This Article