ଚକଡେରା ଅନୁକୂଳ ଆଜି

Odisha Hot News
1 Min Read

ପୁରୀ: ରଥଖଳାରେ ରଥ ନିର୍ମାଣ କାମକୁ ଆଜି ୧୮ ଦିନ ପୂରିଛି। ଗତକାଲି ତିନି ରଥର ୪୨ଟି ଚକରୁ ୧୬ଟି ଚକ ନିର୍ମାଣ ସରିଥିଲା। ଆଜି କାମ ଶେଷ ସୁଦ୍ଧା ତିନି ରଥର ଆଉ ଦୁଇଟି ଲେଖାଏଁ ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ଭୋଇସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ୱାବଧାନରେ ଭୋଇ ସେବକମାନେ ତିନିଟି ଲେଖାଏଁ ତୁମ୍ବରେ ଅର ସଂଯୋଗ ପୂର୍ବକ ଯନ୍ତାଗାଡ଼ଠାରେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ କରି ଅଖବିନ୍ଧ ପାଇଁ ରଥଚାଳିକୁ ଯୋଗାଇ ଦେଇଥିଲେ। ଆଜି ସିଙ୍ଗଡ଼ା ବାଡ଼ିଆ ସରିଥିବା ତୁମ୍ବଗୁଡିକରେ ବିନ୍ଧ କାରିଗରଙ୍କ ଦ୍ୱାରା ଅଖବିନ୍ଧ ହୋଇଛି।
ତିନି ରଥର ମହାରଣା ସେବକମାନେ ମାପ ପ୍ରକାରେ ବଳକା ଅର କଟିଂ ତଥା ସାଲ କାର୍ଯ୍ୟ ଶେଷ କରିଛନ୍ତି। ମହାରଣା ସେବକମାନେ ଚକ ପ୍ରସ୍ତୁତ ପାଇଁ ୮ଟି ଲେଖାଏଁ ପଇ ବିନ୍ଧ ଶେଷ କଲା ପରେ ତିନି ରଥର ସିଙ୍ଗଡ଼ାରେ ପଇ ସଂଯୋଗ ଶେଷ କରିଛନ୍ତି। ପଇରେ ବିଲେଇ ବାଡିଆ ହୋଇ ପଇ କଳସା ଜାରି ରହିଛି। ରଥ ଖଳାରେ ସ୍ଥାନାଭାବ ଯୋଗୁ ଅଧିକ ଚକ ନିର୍ମାଣ କରି ରଖିବା ସମ୍ଭବ ହେଉ ନଥିବାରୁ ଉପଯୁକ୍ତ ସ୍ଥାନ ଖୋଜା ଚାଲିଛି। ପରମ୍ପରା ପ୍ରକାରେ ଆସନ୍ତାକାଲି ଭଉଁରି ତିଥିରେ ଚକ ଓ ଅଖ ଡେରା ନୀତି ପରେ ନିର୍ମାଣ ସରିଥିବା ଚକଗୁଡ଼ିକୁ ବିଧିମତେ ବାହାରକୁ ନିର୍ଦ୍ଦିଷ୍ଟ ସ୍ଥାନକୁ ଅଣାଯିବ।

Share This Article