ଚିଲିକାରେ ବୁଥ ରିଗିଂ ଅଭିଯୋଗ: ତାଲା ପକାଇ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

Odisha Hot News
2 Min Read

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚନ ମଣ୍ଡଳୀରେ ଗତକାଲି ସାଧାରଣ ନିର୍ବାଚନ ଅପାତତଃ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିବା ବେଳେ ବାଣପୁର ବ୍ଲକ ନନ୍ଦପୁର ପଞ୍ଚାୟତର ୧୯୩ ନମ୍ବର ବୁଥକୁ ନେଇ ହଙ୍ଗାମା ସୃଷ୍ଟି ହୋଇଛି। ସେଠାରେ ବୁଥ ଜବରଦଖଲ ହୋଇଥିବା ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ବିଜୟ ପଟ୍ଟନାୟକ ଥାନାରେ ଅଭିଯୋଗ କରିଛନ୍ତି।

ଉକ୍ତ ବୁଥରେ ସମୁଦାୟ ୮୫୪ ଭୋଟର ଭୋଟ ଦେଇଥିବା ବେଳେ ସନ୍ଧ୍ୟା ୬ ଘଟିକା ସମୟରେ ଭୋଟିଂ ଶେଷ ହୋଇଥିଲା। ବୁଥର ପ୍ରିଜାଇଡିଂ ଅଫିସର ଇଭିଏମ ମେସିନ ସିଲ ନ କରି ଆପଣମାନଙ୍କର ଆଉ କୌଣସି କାର୍ଯ୍ୟ ନାହିଁ କହି ଏଜେଣ୍ଟମାନଙ୍କୁ ବାହାର କରିଦେଇଥିଲେ। ହେଲେ ରାତ୍ର ୧୦ ଘଟିକା ସମୟରେ ପୁଣି ଏଜେଣ୍ଟଙ୍କୁ ଦସ୍ତଖତ କରିବାକୁ ଡାକିଥିଲେ।

ବିଜେପି ଏଜେଣ୍ଟମାନେ ବୁଥରେ ପହଂଚିବାରେ ବୁଥ ଭିତରେ ବିଜେଡିର ଚାରିଜଣ କର୍ମୀ ଥିବା ଜାଣିବାକୁ ପାଇଥିଲେ। ଏବଂ ସେମାନେ ପ୍ରିଜାଇଡିଂ ଅଫିସରଙ୍କ ସହ ମିଶି ବୁଥ ରିଗିଂ କରିଥିବା ସନ୍ଦେହ କରି ଅନ୍ୟ ବିଜେପି କର୍ମୀ ମାନଙ୍କୁ ଖବର ଦେଇଥିଲେ। ଫଳରେ ଶହଶହ ବିଜେପି କର୍ମୀ ବୁଥ ପାଖରେ ରୁଣ୍ଡ ହୋଇ ପ୍ରିଜାଇଡିଂ ଅଫିସରଙ୍କ ସହ ବୁଥ ଭିତରେ ଥିବା ଚାରିଜଣଙ୍କୁ ବାହାର ପଟେ ତାଲା ପକାଇ ଗିରଫ କରିବାକୁ ଦାବୀ କରିଥିଲେ।

ଖବର ପାଇ ପୋଲିସ ଏବଂ ତହସିଲଦାର ପହଞ୍ଚି ଉପସ୍ଥିତ ଲୋକଙ୍କୁ ବୁଝାସୁଝା କରିବା ସହ ବୁଥ ଭିତରକୁ ଏଜେଣ୍ଟଙ୍କ ବ୍ୟତୀତ କୌଣସି ବାହାରର ଲୋକ ଯିବା ଅପରାଧ ବୋଲି ପ୍ରକାଶ କରିଥିଲେ। ଏଜେଣ୍ଟଙ୍କ ଅଭିଯୋଗ ଆଧାରରେ ପୋଲିସ ଭିତରେ ଥିବା ଅନ୍ୟ ଚାରିଜଣ ବିଜେଡି କର୍ମୀଙ୍କୁ କାବୁ କରି ଥାନାକୁ ନେବା ପରେ ବୁଥ କର୍ମଚାରୀ ଏବଂ ଇଭିଏମ ଗୁଡିକୁ ବାହାରକୁ ବାହାର କରିଥିଲେ।

ଉକ୍ତ ଘଟଣାରେ ପୋଲିସ ଏକ ଷ୍ଟେସନ ଡ଼ାଇରୀ ପଞ୍ଜିକୃତ କରି ଅଟକ ଚାରିଜଣଙ୍କୁ ଛାଡିଦେଇଥିବା ବେଳେ ରିଟର୍ଣ୍ଣିଂ ଅଫିସରଙ୍କୁ ଘଟଣା ବାବଦରେ ଅନୁସନ୍ଧାନ ପାଇଁ ଅବଗତ କରାଯାଇଥିବା ଆଇଆଇସି ରମେଶ କୁମାର ଦେବତା କହିଛନ୍ତି। ଯଦି କିଛି ଅନିୟମିତତାର ପ୍ରମାଣ ମିଳେ, ତେବେ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି କହିଛନ୍ତି।

ତେବେ ବୁଥ ଭିତରୁ ଏଜେଣ୍ଟ ମାନଙ୍କୁ ବାହାରକୁ ବାହାର କରିଦେଇଥିବା ବେଳେ ସନ୍ଧ୍ୟା ୬ ଘଟିକାରୁ ରାତି ୧୧ଘଟିକା ପର୍ଯ୍ୟନ୍ତ ବିଜେଡି କର୍ମୀମାନଙ୍କୁ ନେଇ ପ୍ରିଜାଇଡିଂ ଅଫିସର କଣ କରୁଥିଲେ ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଉକ୍ତ ଘଟଣାକୁ ନେଇ ବିଜେପି ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପଚାରିବାରେ ବୁଥ ରିଗିଂ ହୋଇଥିବା ଆମେ ଅନୁମାନ କରୁଛୁ ଏବଂ ଏ ବାବଦରେ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରସ୍ତ ହେବୁ ବୋଲି କହିଛନ୍ତି।

Share This Article