ସମ୍ବଲପୁର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ କାର୍ଯ୍ଯକ୍ରମ । ସମ୍ବଲପୁର, ଅନୁଗୁଳ ଓ ଢେଙ୍କାନାଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର । ପ୍ରଥମେ ସମ୍ୱଲପୁରରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନବୀନ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ହୋଇଛି । ସକାଳ ୧୦ ଟା ୪୫ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ହେଲିକେପ୍ଟର ଯୋଗେ ଜମାଦାରପାଲି ଏୟାରଷ୍ଟ୍ରିପରେ ପହଞ୍ଚିବେ ।ସେଠାରୁ ପୁଣି ସମ୍ବଲପୁର ରିଜର୍ଭ ପୁଲିସ ଗ୍ରାଉଣ୍ଡରେ ପହଞ୍ଚିବେ । ରିଜର୍ଭ ପୋଲିସ ଗ୍ରାଉଣ୍ଡରୁ ଅଇଁଠାପାଲି ପିଏଚଡି ପଡିଆକୁ ଯିବେ । ୧୧ ଟା ୩୦ ମିନିଟ ସମୟରେ ପିଏଚଡି ପଡ଼ିଆରେ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।
ସମ୍ବଲପୁର ପରେ ଅନୁଗୋଳ ଷ୍ଟାଡିୟମ୍ଠାରେ ପହଞ୍ଚି ଅନୁଗୋଳ ନିର୍ବାଚନମଣ୍ଡଳୀ ସହ ତାଳଚେର ଓ ପାଲଲହଡ଼ା ନିର୍ବାଚନମଣ୍ଡଳୀର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ତାଙ୍କ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଅପରାହ୍ନ ୩ଟା ୩୫ରେ ମୁଖ୍ୟମନ୍ତ୍ରୀ ଅନୁଗୋଳ ଷ୍ଟାଡିୟମ୍ରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବା ପରେ ସଭାସ୍ଥଳକୁ ଯିବେ। ଏହାପରେ ବିଜେଡିର ମୁଖପାତ୍ର ତଥା ଅନୁଗୋଳ ନିର୍ବାଚନମଣ୍ଡଳୀର ସହପର୍ଯ୍ୟବେକ୍ଷକ ଚିନ୍ମୟ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିବେ। ଏହାପରେ ଅନୁଗୋଳ ନିର୍ବାଚନମଣ୍ଡଳୀର ବିଧାୟିକା ପ୍ରାର୍ଥତ୍ନୀ ସଂଯୁକ୍ତା ସିଂହ, ତାଳଚେର ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ, ପାଲଲହଡ଼ା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ମୁକେଶ ପାଲ ଏବଂ ଢେଙ୍କାନାଳ ଲୋକ ସଭା ଏମ୍ପି ପ୍ରାର୍ଥୀ ଡା. ଅବିନାଶ ସାମଲ ଭୋଟ୍ ଭିକ୍ଷା କରିବେ। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡେଙ୍କାନାଳ ଏମ୍ପି ପ୍ରାର୍ଥୀ ଓ ୩ ଜଣ ବିଧାୟକଙ୍କ ପାଇଁ ଆର୍ଶୀବାଦ ଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରିବେ। ଶେଷରେ ଅନୁଗୋଳ ଜିଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ ଧନ୍ୟବାଦ ଅର୍ପଣ କରିବେ। ଅନୁଗୋଳ ଷ୍ଟାଡିୟମ୍କୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଥିବାରୁ ବିଜେଡି କର୍ମୀଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଛି। ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହାପରେ ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଗସ୍ତରେ ଯାଇ ଅପରାହ୍ନ ୪ଟାରେ ସୁନ୍ଦରିଖାଲ ପଡ଼ିଆରେ ପହଞ୍ଚି ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଭୋଟଭିକ୍ଷା କରିବେ।
Comment