ଚିଲିକା: ପ୍ରଥମ ଥର ହେବ ଶ୍ରୀଜଗନ୍ନାଥଙ୍କର ୨୪ ବେଶ ପ୍ରଦର୍ଶନୀ, ଚତୁର୍ଦ୍ଧାମୂର୍ତ୍ତିଙ୍କ ନିର୍ମାଣ କାମର ହେଲା ଶୁଭ ଅନୁକୂଳ

Odisha Hot News
1 Min Read

ଚିଲିକା (ସୀତାରାମ ଅଗ୍ରୱାଲ): ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବଉଳାବନ୍ଧ ଗ୍ରାମରେ ଶ୍ରୀଜଗନ୍ନାଥଙ୍କର ୨୪ ଗୋଟି ବେଶ ପ୍ରଦର୍ଶନୀ ନିମନ୍ତେ ଦାରୁ (ଲିମ୍ବ କାଠ) ରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ନିର୍ମାଣ କାମର ଶୁଭ ଅନୁକୂଳ ହୋଇଯାଇଅଛି। ପରମ ପୂଜ୍ୟ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବଙ୍କର ପରାମର୍ଶ କ୍ରମେ, ପୂରୀ ଝାଞ୍ଜପୀଠ ମହନ୍ତ ପୂଜ୍ୟ ବାବା ସଚ୍ଚିଦାନନ୍ଦ ଦାଶ ମହାରାଜ, ଚିନ୍ମୟ ମିଶନ ପଟିଆଲାର ସ୍ୱାମୀ ମାଧବାନନ୍ଦ ସରସ୍ବତୀ, ଶ୍ରୀମନ୍ଦିର ଦଇତାପତି ରଘୁନାଥ ଦାଶ ମହାପାତ୍ର ଓ ଅନ୍ୟାନ ଜଗନ୍ନାଥ ସଂସ୍କୃତି ଗବେଷକ ମାନଙ୍କ ସହିତ ଲୀଳାକ୍ଷେତ୍ର କାଙ୍କଣଶିଖରୀ ଟ୍ରଷ୍ଟର ସଭାପତି ଡ଼ଃ ସୁଶାନ୍ତ କୁମାର ସାହୂ ବିଚାର ବିମର୍ଶ କରି ମହାପ୍ରଭୁଙ୍କର ଏହି ଅନନ୍ୟ କାର୍ଯ୍ୟକ୍ରମକୁ ଶୁଭ ଅନୁକୂଳ କରାଇଥିଲେ।

ବଉଳାବନ୍ଧ ଗ୍ରାମର ନୀଳମଣି ମହାରଣା ଓ ପ୍ରମୋଦ ମହାରଣା ଏହି ୨୪ ଗୋଟି ବେଶକୁ ନିର୍ମାଣ କରିବାକୁ ଭକ୍ତିପୂତ ଭାବରେ ପ୍ରଗଢା ଇଛା ପ୍ରକାଶ କରିଥିଲେ। ଦଇତାପତି ରଘୁନାଥ ଦାଶଙ୍କ ପ୍ରେରିତ ଶ୍ରୀଜଗନ୍ନାଥଙ୍କର ଶ୍ରୀଅଙ୍ଗ ଲାଗି ଗୀତଗୋବିନ୍ଦ ଖଣ୍ଡୁଆ ପାଟ କୁ କାଙ୍କଣଶିଖରୀର ଆଦ୍ୟ ସେବକ ହାଡୁବନ୍ଧୁ ପଟ୍ଟନାୟକ ଦୁଇ ବିଶ୍ୱକର୍ମାଙ୍କୁ ଲାଗି କରାଇଥିଲେ। ବଉଳାବନ୍ଧ ଗ୍ରାମର ପ୍ରଭୁ ବୃନ୍ଦାବନ ଦେବଙ୍କ ମନ୍ଦିରରେ ଅନୁଷ୍ଠିତ ଏହି ଶୁଭ ଅନୁକୂଳ ଅବସରେ ଶ୍ରୀମନ୍ଦିରରୁ ଦଇତାପତି ରଘୁନାଥ ଦାଶ ମହାପାତ୍ର, ଦୂରଭାସା ଯୋଗେ, ଦୁଇ ବିଶ୍ୱକର୍ମାଙ୍କୁ ନିଷ୍ଠା ଓ ଭକ୍ତିର ସହିତ ମହାପ୍ରଭୁଙ୍କର ଏହି ମହାନ କାମକୁ ଆଗେଇ ନେବାକୁ ଆଶୀର୍ବାଦ ଦେଇଥିଲେ।

ପ୍ରକାଶ ଥାଉକି ଦାରୁ ନିର୍ମିତ ୨୪ ବେଶ ପ୍ରଦର୍ଶନୀ ଜଗନ୍ନାଥ ସଂସ୍କୃତିରେ ପ୍ରଥମ ଥର ଅନୁଷ୍ଠିତ ହେବାକୁ ଯାଉଛି। ଏହି ଶୁଭ ଅନୁକୂଳ ପୂଜାରେ ନଈରୀ ଗ୍ରାମର ରମେଶ ପଲେଇଙ୍କ ସହିତ ବଉଳବନ୍ଧ ଗ୍ରାମର ଜିତେନ୍ଦ୍ର ନାୟକ, ବୃନ୍ଦାବନ ମହାରଣା, ସନ୍ତୋଷ ନାୟକ, କାଳୁଚରଣ ବେହେରା ଓ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ।

Share This Article