ଧର୍ମେନ୍ଦ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା ବିଜେଡି, କରିଲା ଏହି ଅଭିଯୋଗ

Odisha Hot News
2 Min Read

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ବିଜେଡି। ଆଜି ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଛନ୍ତି ସସ୍ମିତ ପାତ୍ର। ସେ କହିଛନ୍ତି ଯେ, ଧର୍ମେନ୍ଦ୍ରଙ୍କ ପାଇଁ ବିଦେଶରେ ଅବସ୍ଥାପିତ ଜଣେ ଆଇଏଫଏସ ଅଧିକାରୀ ପ୍ରଚାର ରଣନୀତି କରୁଛନ୍ତି। ସେ ଏକ ମାସ ଛୁଟି ଆଣି ସମ୍ବଲପୁରରେ ରହି ତାଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି।

ସସ୍ମିତ କହିଛନ୍ତି ଯେ, ନିୟୁର୍କରେ ଅବସ୍ଥାପିତ କନସୋଲଣ୍ଟିଂ ଜେନେରାଲ ଶ୍ରୀ ବିନୟ ପ୍ରଧାନ ଧର୍ମେନ୍ଦ୍ରଙ୍କ ପ୍ରଚାରରେ ଲାଗିଛନ୍ତି। ସେ ଭାରତ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ। ବିଦେଶରେ ଅବସ୍ଥାପିତ ଥିବା ବେଳେ ସେ ଧର୍ମେନ୍ଦ୍ରଙ୍କ ପାଇଁ କିପରି ପ୍ରଚାର ରଣନୀତି ପ୍ରସ୍ତୁତ କରୁଛନ୍ତି ବୋଲି ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି। ପୂର୍ବରୁ ଧର୍ମେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଥିବା ବେଳେ ତାଙ୍କ ପାଖରେ ସେ ଓଏସଡି ଭାବେ କାର୍ଯ୍ୟ ମଧ୍ୟ କରୁଥିଲେ।

ଧର୍ମେନ୍ଦ୍ରଙ୍କୁ ଜିତାଇବା ପାଇଁ ବର୍ତ୍ତମାନ ବିନୟ ପ୍ରଧାନ ଏକ ମାସ ଛୁଟିଆଣି ସମ୍ବଲପୁରରେ ରହୁଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ଯେଉଁ ଘରେ ରହୁଛନ୍ତି ସେହିଠାରେ ସେ ମଧ୍ୟ ରହୁଛନ୍ତି। ସେହି ଘରେ ବସି ସେ ବିଭିନ୍ନ ଲୋକଙ୍କୁ ଫୋନ କରି ପ୍ରଚାର ରଣନୀତି ପ୍ରସ୍ତୁତ କରୁଛନ୍ତି। ସେଥିପାଇଁ ବିନୟଙ୍କ କଲ ରେକର୍ଡ ଯାଞ୍ଚ ଏବଂ ତାଙ୍କର ଗତିବିଧି ଉପରେ ଟ୍ରାକ କରାଯାଉ ବୋଲି ସସ୍ମିତ ପାତ୍ର ଦାବୀ କରିଛନ୍ତି।

ସସ୍ମିତ ଆହୁରି କହିଛନ୍ତି ଯେ, ଏ ନେଇ ଆମେ ପୂର୍ବରୁ ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖି ଅବଗତ କରାଇଛୁ। ହେଲେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ସେହିପରି ଦଳ ତରଫରୁ କ୍ୟାବିନେଟ ସଚିବ ଏବଂ ବୈଦେଶିକ ବ୍ୟାପାର ବିଭାଗର ସଚିବଙ୍କୁ ମଧ୍ୟ ଏ ନେଇ ଚିଠି ଲେଖିଛୁ। ହେଲେ ତାଙ୍କ ବିରୋଧରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ନିର୍ବାଚନ କମିଶନର ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସସ୍ମିତ ଦାବୀ କରିଛନ୍ତି।

Share This Article