ବାଣପୁର: କ୍ରିକେଟ ଖେଳ ସମୟରେ ଖେଳାଳିଙ୍କୁ ଅତର୍କିତ ଆକ୍ରମଣ, ଦୁଇ ଗୁରୁତର

Odisha Hot News
1 Min Read

ବାଣପୁର (ସୀତାରାମ ଅଗ୍ରୱାଲ): କ୍ରିକେଟ ଟୁର୍ଣ୍ଣାମେଣ୍ଟ ସମୟରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଅଘଟଣ ଘଟିଯାଇଛି। ଖେଳ ଶେଷ ହେବା ପରେ ବାଲୁଗାଁରୁ ଆସିଥିବା ଖେଳାଳିଙ୍କୁ ଅତର୍କିତ ଆକ୍ରମଣ କରାଯାଇଛି। ଯାହାଫଳରେ ଦୁଇଜଣ ଖେଳାଳି ଗୁରୁତର ଆହତ ହୋଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ବାଣପୁର କପିଳେଶ୍ଵର ସାହିରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିବା ବେଳେ ଗୁରୁବାର ଦିନ ବାଲୁଗାଁ ସହ ବିଂଝଳା ଗ୍ରାମ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଖେଳ ସରିବା ପରେ ବାଲୁଗାଁ ଖେଳାଳି ମାନେ ପଡିଆ ଭିତରୁ ବାହାରକୁ ଯାଉଥିଲେ। ତେବେ ପୂର୍ବରୁ ଅଟୋରେ ଆସି ଲୁଚି ରହିଥିବା ଘନ ନାୟକ, ରାକ ନାୟକ, ଏବଂ ୱାର୍ଲଡ ନାୟକ ସମେତ ୭ରୁ ୮ଜଣ ଯୁବକ ସେମାନଙ୍କ ଉପରେ ଲୁହା ରଡ଼ରେ ଅତର୍କିତ ଆକ୍ରମଣ କରିଥିଲେ ବୋଲି ଆହତ ମାନେ ପ୍ରକାଶ କରିଛନ୍ତି। ଯାହାଫଳରେ ବାଲୁଗାଁ ଟିମର ଦୁଇଜଣ ଖେଳାଳି ଗୁରତର ଆହତ ହେବା ସହ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ଜଣାଯାଇଛି। ଆହତମାନଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବ ବେଳେ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ସେମାନଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଥିଲା।

ତେବେ ଅଭିଯୁକ୍ତମାନେ ବିଂଝଳା ଗ୍ରାମର ହୋଇଥିବା ବେଳେ ଉକ୍ତ ଗ୍ରାମର ଖେଳାଳି ମାନେ ଏଥିରେ ସମ୍ପୃକ୍ତ ନଥିବା ଜଣାପଡିଛି। ଅଭିଯୁକ୍ତମାନଙ୍କ ସହ କୌଣସି ପୂର୍ବ ଶତ୍ରୁତା ନଥିବା ଆହତ ଯୁବକମାନେ ପ୍ରକାଶ କରିଛନ୍ତି। ଆହତ ପରିବାରଙ୍କ ତରଫରୁ ବାଣପୁର ଥାନାରେ ଏତଲା ଦିଆଯାଇଛି। ପୋଲିସ ତଦନ୍ତ କଲାପରେ ଅଭିଯୁକ୍ତମାନେ କଣ ପାଇଁ ଆକ୍ରମଣ କଲେ, ତାହାର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି।

Share This Article