ଶ୍ରୀମୟୀ ଓ ଅରୂପଙ୍କ ଉପରେ ବିଜେଡିର ଭରସା ପାଇଲାନି, ଘୋଷଣା ହେଲାନି ନାମ

Odisha Hot News
2 Min Read

ଭୁବନେଶ୍ବର: ଆଜି ବିଜେଡିର ବହୁ ପ୍ରତୀକ୍ଷିତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏଥିରେ ମୋଟ ୭୧ ବିଧାନସଭା ଓ ୯ ଲୋକସଭାର ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ତେବେ ବହୁ ବାଦବିଦାବ ରହିଥିବା ପୁରୀ ଓ ଭୁବନେଶ୍ବରର ପ୍ରାର୍ଥୀ ବଦଳିଛନ୍ତି। ଭୁବନେଶ୍ବରରେ ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ପୁରୀର ଲୋକସଭା ଘୋଷଣା କରାଯାଇ ନାହିଁ।

ଆଜିର ପ୍ରାର୍ଥୀ ତାଲିକାରେ ଭୁବନେଶ୍ବର ଲୋକସଭା ପାଇଁ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ବିଜେଡି ପ୍ରାର୍ଥୀ କରିଛି। ମନ୍ମଥ ଆଜି ବିଜେଡିରେ ଯୋଗ ଦେବା ପରେ ତାଙ୍କର ନାମ ଘୋଷଣା କରାଯାଇଛି। ହେଲେ ଏହି ଆସନରୁ ବିଜେଡି ନେତ୍ରୀ ଶ୍ରୀମୟି ମିଶ୍ର ଲଢିବେ ବୋଲି ସମସ୍ତଙ୍କୁ ଜଣା ଥିଲା। ହେଲେ ଶେଷ ମୂହୁର୍ତ୍ତରେ ତାଙ୍କୁ ପ୍ରାର୍ଥୀ କରାଯାଇ ନାହିଁ।

କିଛି ମାସ ଧରି ଶ୍ରୀମୟି ଭୁବନେଶ୍ବରର ସମସ୍ତ ବିଧାନ ସଭାରେ ଜୋରଦାର ପ୍ରଚାର କରିଥିଲେ। ଏପରିକି ଏକ ସଭାରେ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଶ୍ରୀମୟି ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ବୋଲି ଘୋଷଣା ମଧ୍ୟ କରିଥିଲେ। ବିଶେଷ ସୁତ୍ର ଅନୁସାରେ ଶ୍ରୀମୟିଙ୍କୁ ମଧ୍ୟ ଭୁବନେଶ୍ବର ଲୋକସଭାରେ ଲଢିବା ପାଇଁ ସବୁଜ ସଙ୍କେତ ପ୍ରଦାନ କରାଯାଇଥିଲା। ହେଲେ ଭୁବନେଶ୍ବରର ଲୋକସଭାରେ ବିଜେପିର ଅପରାଜିତାଙ୍କୁ ଟକ୍କର ଦେବା ନେଇ ଦଳର ଶ୍ରୀମୟିଙ୍କ ଉପରେ ଭରସା ପାଇଲା ନାହିଁ।

ଅନ୍ୟପକ୍ଷରେ ମନ୍ମଥଙ୍କର ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳିରେ ବେଶ ଦବଦବା ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ତାଙ୍କର ବାପା ବିଧାୟକ ସୁରେଶ ରାଉତରାୟଙ୍କ ଲୋକପ୍ରିୟତା ପୁରା ଭୁବନେଶ୍ବର ଲୋକସଭା ଆସନରେ ରହିଛି। ବିଜେଡି ସେହି ଦବଦବାକୁ ଦୃଷ୍ଟିରେ ରଖି ଶେଷ ମୂହୁର୍ତ୍ତରେ ଶ୍ରୀମୟିଙ୍କୁ ବାଦ ଦେଇ ମନ୍ମଥଙ୍କୁ ପ୍ରାର୍ଥୀ କରିଛି।

ସେହିପରି ପୁରୀ ଆସନରେ ବିଜେପିର ସମ୍ବିତ ପାତ୍ରଙ୍କୁ ଟକ୍କର ଦେବାରେ ଅରୂପ ପଟ୍ଟନାୟକ ଠିକ ହେବେ ନାହିଁ ଭାବି ତାଙ୍କ ନାମ ଘୋଷଣା କରି ନାହିଁ। ଯେତେବେଳେ ପୁରୀ ଲୋକସଭା ଏବଂ ଏହାର ବିଧାନସଭା ଆସନ ଉପରେ ବିଜେଡି ଆଲୋଚନା କରିଥିଲା ସେତେବେଳେ ଅରୂପ ଯୋଗ ଦେଇଥିଲେ।

ଏପରିକି ପୁରୀର ଚିଲିକା ଛାଡି ଅନ୍ୟ ଛଅଟି ଆସନ ବିଧାୟକ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ସହିତ ଜଗନ୍ନାଥ ଦର୍ଶନ କରିଥିଲେ। ସେତେବେଳେ ଜଣାପଡିଥିଲା ଯେ, ଅରୂପ ପୁରୀ ଲୋକସଭାରୁ ପ୍ରାର୍ଥୀ ହେବେ। ହେଲେ ବିଜେଡି ପୁଣିଥରେ ସେହି ଆସନରେ ନୂଆ ପ୍ରାର୍ଥୀ ଦେବାକୁ ଚିନ୍ତା କରି ଅରୂପଙ୍କ ନାମ ଘୋଷଣା କରି ନାହିଁ ବୋଲି ଜଣାପଡିଛି।

Share This Article