ବିଦେଶରେ ଚାକିରି ନାଁରେ ଠକେଇର ଶିକାର ହେଲେ ଚିଲିକାର ୭୦ ଶ୍ରମିକ: ଆନ୍ଧ୍ରା ପୋଲିସରେ କଲେ ଅଭିଯୋଗ

Odisha Hot News
2 Min Read

ଚିଲିକା (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁ ଅଞ୍ଚଳର ପ୍ରାୟ ୭୦ଜଣ ଶ୍ରମିକ ଠକେଇର ଶିକାର ହୋଇଥିବା ଖବର ହସ୍ତଗତ ହୋଇଛି। ଖବରରୁ ଜଣାପଡିଛି ଯେ, ବିଗତ ଦୁଇମାସ ତଳେ ସୁବିଧାରେ ଏବଂ ସ୍ୱଳ୍ପ ମୂଲ୍ୟରେ ଶ୍ରମିକ ମାନଙ୍କୁ ବିଦେଶରେ ରୋଜଗାର ଦେବାର ପ୍ରଲୋଭନ ଦେଖାଇ ଲାଇଫ ଲାଇନ ଟ୍ରାଭେଲ ଏଜେନସି, ବିଜୟୱାଡା, ବାଣପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ବ୍ୟାନର ଲଗାଇଥିଲା। ଯାହାକି ଦୁବାଇର ଆବୁଧାବିରେ ନାମୀଦାମୀ କମ୍ପାନୀରେ କାମ କରାଇବାର ଲେଖା ଥିଲା। ଯେଉଁ ବ୍ୟାନରର ଲେଖାକୁ ବିଶ୍ୱାସ କରି ଏବଂ ବ୍ୟାନରରେ ଲେଖା ଯାଇଥିବା କଥାର ପ୍ରଲୋଭନରେ ପଡ଼ି କମ୍ପାନୀର ମ୍ୟାନେଜର ଆର.ରାବଣା ରାଓଙ୍କୁ ବାଣପୁର ଅଂଚଳର ବହୁ ଶ୍ରମିକ ଯୋଗାଯୋଗ କରିଥିଲେ।

ଯୋଗାଯୋଗ ପରେ କମ୍ପାନୀ ତରଫରୁ ସମସ୍ତ ଶ୍ରମିକ ମାନଙ୍କୁ ଦୁବାଇ ଯିବାକୁ ଭିସା ପ୍ରଦାନ କରିଥିଲେ। ଶ୍ରମିକ ମାନେ ମଧ୍ୟ ଭିସାକୁ ସଠିକ ବୋଲି ପରଖି ଥିଲେ। ପରେ ବିଦେଶ ଯିବାକୁ ହେଲେ ଜଣକ ପିଛା ୫୯,୪୦୦ଟଙ୍କା ଲେଖା ଦେବାକୁ ପଡିବ ବୋଲି ଦାବୀ କରିଥିଲା ଉକ୍ତ କମ୍ପାନୀ। ଶ୍ରମିକ ମାନେ ମଧ୍ୟ ମ୍ୟାନେଜର ଆର. ରାବଣା ରାଓଙ୍କ କରୁର ବୈଶ୍ୟ ବ୍ୟାଙ୍କ ଆକାଉଣ୍ଟ ଯାହାର ନମ୍ବର୧୪୭୨୧୫୫୦୦୦୦୯୭୨୪୨, ବ୍ରାଞ୍ଚ ଗଜୱାକାକୁ ସମସ୍ତ ଟଙ୍କା ପଠାଇଥିବା ଶ୍ରମିକ ମାନେ କହିଛନ୍ତି। ପରେ କମ୍ପାନୀ ତରଫରୁ ବିଦେଶ ଯିବାକୁ ଶ୍ରମିକ ମାନଙ୍କୁ ପ୍ଲେନ ଟିକେଟ ପ୍ରଦାନ କରାଯାଇଥିଲା। କିନ୍ତୁ ଶ୍ରମିକ ମାନେ ବିଜୟୱାଡା ଠାରେ ଥିବା କମ୍ପାନୀର ଅଫିସଠାରେ ପହଁଚିଲେ ସେଠାରେ କୌଣସି ଅଫିସ ନଥିବା ଏବଂ ଟିକେଟ କ୍ୟାନ୍ସଲ ହୋଇଯାଇଥିବା ମଧ୍ୟ ଜାଣିବାକୁ ପାଇଥିଲେ।

ତେବେ ଉକ୍ତ ଘଟଣାକୁ ନେଇ ଶ୍ରମିକ ମାନେ ବିଜୟୱାଡା ଏସପିଙ୍କ ଦ୍ଵାରସ୍ଥ ହୋଇଥିବା ବେଳେ ତାଙ୍କ ନିଷ୍ପତ୍ତି କ୍ରମେ ରୁରାଲ ପୋଲିସ ଥାନାରେ ଲିଖିତ ଏତଲା ଦାୟର କରିଥିଲେ।

ରିପୋର୍ଟ ଲେଖା ହେଲା ବେଳକୁ ଶ୍ରମିକ ମାନେ ଉପରୋକ୍ତ ଥାନାରେ ବସିରହିଥିବା ଜଣାପଡିଛି। ତେଣୁ ଆନ୍ଧ୍ରପ୍ରଦେଶ ସରକାର ଓଡିଶା ଶ୍ରମିକ ମାନଙ୍କ ଠାରୁ ଲୁଟ କରିଥିବା କମ୍ପାନୀକୁ ଆଇନ ଅନୁଯାୟୀ ଦଣ୍ଡ ପ୍ରଦାନ କରିବା ସହ ଓଡିଶାର ଶ୍ରମିକ ମାନଙ୍କୁ ଉଚିତ ନ୍ୟାୟ ଦେବାକୁ ସାଧାରଣରେ ଦାବୀ ହେଉଛି।

Share This Article