ବାଣପୁର: ସନ୍ଦେହ ଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର, ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍

Odisha Hot News
1 Min Read

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ପଲଟନ ପଡିଆ ସ୍ଥିତ ବଡହନ୍ତୁଆଡ଼ ମୁସଲିମ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାୱା ବିବି (୫୫) ନାମ୍ନୀ ଜଣେ ମୁସଲିମ ମହିଳାଙ୍କ ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ଘର ଭିତରୁ ଉଦ୍ଧାର କରିଛି ପୋଲିସ। ମୃତକ ହାୱା ବିବି ଙ୍କର ମୁଣ୍ଡରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିବାର ଦେଖିବାକୁ ମିଳିଛି।

ଘଟଣାରୁ ପ୍ରକାଶ ଉକ୍ତ ସାହିର ମୋହି ମିର୍ଜା (୬୦) ଙ୍କର ଦୁଇଜଣ ପତ୍ନୀ ଥିବାବେଳେ ହାୱା ବିବି ହେଉଛନ୍ତି ପ୍ରଥମ ପତ୍ନୀ। ତାଙ୍କର ତିନିଗୋଟି ପୁଅ ଥିବାବେଳେ ସମସ୍ତେ ବାହାରେ ରହୁଥିବା ଜଣାପଡିଛି। ଘରେ ସ୍ୱାମୀଙ୍କ ସହ ଦୁଇ ପତ୍ନୀ ଓ ଦ୍ୱିତୀୟ ସ୍ତ୍ରୀଙ୍କର ଦୁଇଟି ଝିଅ ରୁହନ୍ତି।

ମୋହି ମିର୍ଜାଙ୍କର ବ୍ରେନ ଷ୍ଟ୍ରୋକ ହୋଇ ସେ ଶଯ୍ୟାଶାୟୀ ଅଛନ୍ତି। ଆଜି ସକାଳୁ ହାୱା ବିବି କୌଣସି କାରଣରୁ ଆତ୍ମହତ୍ୟା କରିଥିବା କଥା ଦ୍ୱିତୀୟ ପତ୍ନୀ ମୋହିରୁନ ବିବି ତାଙ୍କର ପରିବାର ଲୋକଙ୍କୁ ଖବର ଦେଇଥିଲେ। ହେଲେ ପରିବାର ଲୋକ ପହଁଚି ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଦେଖି ମୋହିରୁନ ବିବି ଓ ତାଙ୍କର ଝିଅ ଆଉ ପୁଅ ମିଶି ହତ୍ୟା କରିଥିବା ସନ୍ଦେହରେ ବାଣପୁର ଥାନାରେ ଏତଲା ଦାୟର କରିଛନ୍ତି।

ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ବାଣପୁର ଆଇଆଇସି ରମେଶ କୁମାର କୁମାର ଦେବତା ସଙ୍ଗେ ସଙ୍ଗେ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ସନ୍ଧ୍ୟାରେ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିଛି। ତେବେ ପୋଲିସ ଶବକୁ ବ୍ୟବଚ୍ଛେଦ କରିବା ନିମନ୍ତେ ବାଣପୁର ଡାକ୍ତରଖାନାକୁ ପଠାଇଦେଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଏସଡ଼ିପିଓ ଶ୍ରୀ ମିଶ୍ର କହିଛନ୍ତି।

Share This Article