ବବି ଦାସ ଏମିତି କାହିଁକି ଲେଖିଲେ, ଯାହାକୁ ନେଇ ଜାତୀୟ ଦଳ ଭିତରେ ସୃଷ୍ଟି ହୋଇଛି ଆଲୋଡନ

Odisha Hot News
2 Min Read

ଭୁବନେଶ୍ବର: ଆଜି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂକୁ ନେଇ ଓଡିଶା ରାଜନୀତିରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଯେଉଁଥିରେ ସେ କହିଛନ୍ତି ଯେ, ବିଜେଡି ଟିକେଟ ପାଇବା ପାଇଁ ଜାତୀୟ ଦଳର ନେତାମାନେ ଆବେଦନ କରିଛନ୍ତି। ଏଥିସହିତ ୧୦ ହଜାରରୁ ଉର୍ଦ୍ଧ ବ୍ୟକ୍ତି ବିଜେଡି ଟିକେଟ ପାଇଁ ଆବେଦନ କରିଛନ୍ତି। ଯାହାକୁ ନେଇ ଜାତୀୟ ଦଳ ଭିତରେ ଆଲୋଡନ ସୃଷ୍ଟି ହୋଇଛି।

ସେ ତାଙ୍କ ଏକ୍ସରେ ଯାହା ଲେଖିଛନ୍ତି ତାହା ହେଲା

“ବିଗତ କିଛି ବର୍ଷ ଧରି ଜାତୀୟସ୍ତରର ସବୁ ସର୍ଭେ ରିପୋର୍ଟ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଥିବାର ଗୈାରବ ପ୍ରଦାନ କରିଛି। ସେହିଭଳି ୨୦୨୨ ପଂଚାୟତ ନିର୍ବାଚନରେ ୫୨ ପ୍ରତିଶତରୁ ଅଧିକ ଭୋଟ ହାର ସାଙ୍ଗକୁ ୩୦ ରୁ ୩୦ ଜିଲ୍ଲା ପରିଷଦରେ ଜିତାଇ, ବିଜୁ ଜନତା ଦଳ ଯେ ଓଡ଼ିଶାର ୧ ନମ୍ବର ରାଜନୈତିକ ଦଳ, ଓଡ଼ିଶାବାସୀ ତାହା ପ୍ରମାଣିତ କରିଛନ୍ତି।

ଏହି ଦୁଇଟି ନିରାଟ ସତ୍ୟ, ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ବିଜୁ ଜନତା ଦଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଭଲପାଇବାକୁ ପ୍ରତିପାଦିତ କରୁଛି। ୨୦୨୪ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟ ପାଇଁ ୧୦ ହଜାରରୁ ଅଧିକ ଆବେଦନ ଦଳ ପାଖରେ ପ୍ରାପ୍ତ ହୋଇଛି। ଅତ୍ୟନ୍ତ ଖୁସିର କଥା ଯେ, ବହୁ ସଂଖ୍ୟକ ପେଶାଦାର ବ୍ୟକ୍ତି ଏବଂ ଜାତୀୟ ରାଜନୈତିକ ଦଳମାନଙ୍କର ନେତାମାନେ ମଧ୍ୟ ବିଜେଡି ଟିକେଟ ପାଇଁ ଆବେଦନ କରୁଛନ୍ତି।

ଆମର ଦୃଢ଼ ବିଶ୍ୱାସ ଏହି ନିର୍ବାଚନରେ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଆଶୀର୍ବାଦ ବଳରେ ବିଜୁ ଜନତା ଦଳ ଏକ ଐତିହାସିକ ବିଜୟ ଆଡକୁ ଗତି କରୁଛି। ଏହି ବିପୁଳ ସଂଖ୍ୟକ ଆବେଦନ ଦର୍ଶାଉଛି, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ବଢ଼ି ବଢ଼ି ଚାଲିଛି। ନବୀନ ବାବୁଙ୍କୁ ଲାଗାତାର ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ଓଡ଼ିଶାବାସୀ ମନ ସ୍ଥିର କରିସାରିଛନ୍ତି। ”

ଏହାକୁ ନେଇ ବିଭିନ୍ନ ମହଲରେ ବେଶ ଆଲୋଚନା ଚାଲିଛି। ବିଶେଷ କରି ରାଜନୈତିକ ଦଳ ଭିତରେ ଏହାକୁ ନେଇ ଗୁଂଜରଣ ସୃଷ୍ଟି ହୋଇଛି। ମୁଖ୍ୟତଃ ଜାତୀୟ ଦଳ ହିସାବରେ ବିଜେପି ଓ କଂଗ୍ରେସରେ ଏହାକୁ ନେଇ ଭୂକମ୍ପ ସୃଷ୍ଟି ହୋଇଛି। କାରଣ କିଏ ବିଜେଡି ଟିକେଟ ପାଇଁ କିଏ ଆବେଦନ କରିଛି ତାହାକୁ ନେଇ ଚାଲିଛି ଖଳତାଡ।

Share This Article