ବାଣପୁରରେ ବଡଧରଣର ଡକାୟତି: ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କ ଠାରୁ ୭ ଲକ୍ଷରୁ ଉର୍ଦ୍ଧ୍ଵ ଲୁଟ୍ ଅଭିଯୋଗ

Odisha Hot News
2 Min Read

ବାଣପୁର (ସୀତାରାମ ଅଗ୍ରୱାଲ): ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶାଳିଆଡ୍ୟାମ ନିକଟରେ ଏକ ବଡଧରଣର ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ପାଞ୍ଚ ଜଣ କର୍ମଚାରୀ ଖୋର୍ଦ୍ଧା ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଦେଇଥିବା ଗ୍ରୁପ ଲୋନ ଟଙ୍କା ସଂଗ୍ରହ କରି ରାତି ୯ ଘଟିକା ସମୟରେ ଫେରୁଥିଲେ। କର୍ମଚାରୀ ମାନଙ୍କ ମଧ୍ୟରେ ଜଣେ ମହିଳା କର୍ମଚାରୀ ଥିବାବେଳେ ସମସ୍ତେ ନିଜ ନିଜ ମୋଟର ସାଇକେଲ ଓ ସ୍କୁଟିରେ ଏକାଠି ହୋଇ ଫେରୁଥିଲେ।

ତେବେ ଫେରିବା ବାଟରେ ଶାଳିଆ ଡ୍ୟାମ ନିକଟରେ ହଠାତ ୧୦ରୁ ୧୨ ଜଣ ଦୁର୍ବୁର୍ତ୍ତ ମୁହଁରେ କଳାକନା ଘୋଡାଇ କର୍ମଚାରୀମାନଙ୍କୁ ରାସ୍ତାରେ ଡାଳ ପକାଇ ଅଟକାଇ ଥିଲେ।  ସେମାନଙ୍କ ମଧ୍ୟରୁ ଦୁଇଜଣ ଦ୍ରୁତ ଗତିରେ ଗାଡି ଚଲାଇ ପଳାଇ ଆସିଥିବା ବେଳେ ଅନ୍ୟମାନେ ସେମାନଙ୍କ ହାବୁଡ଼ରେ ପଡିଯାଇଥିଲେ। ଦୁର୍ବୁର୍ତ୍ତମାନେ ସେମାନଙ୍କୁ ଆକ୍ରମଣ କରି ସେମାନଙ୍କ ପାଖରେ ବ୍ୟାଗରେ ଥିବା କଲେକ୍ସନ ଟଙ୍କା ଓ ସମସ୍ତ କାଗଜପତ୍ର ଛଡାଇ ଗଞ୍ଜାମ ଜିଲ୍ଲାକୁ ଥିବା ରାସ୍ତା ଦେଇ ପଳାଇଥିଲେ।

ତେବେ ତିନିଜଣଙ୍କ ନିକଟରୁ ସମୁଦାୟ ୭,୫୨,୨୫୦ ଟଙ୍କା ଦୁର୍ବୁର୍ତ୍ତ ମାନେ ଛଡାଇ ନେଇଯାଇଥିବାର ମହିଳା କର୍ମଚାରୀ ଦୀପାଞ୍ଜଳି ଛାଟୋଇ ଥାନାରେ ଅଭିଯୋଗ କରିଛନ୍ତି।

ପୋଲିସ ଅଭିଯୋଗ ପାଇ ଘଟଣା ସ୍ଥଳରେ ଛାନଭିନ କରୁଥିବା ବେଳେ ଦୁର୍ବୁର୍ତ୍ତମାନଙ୍କର ପତ୍ତା ମିଳିପାରିନାହିଁ। ତେବେ ଶାଳିଆଡ୍ୟାମ ଅଞ୍ଚଳ ଏକ ଘଞ୍ଚ ଜଙ୍ଗଲ ରାସ୍ତା ହୋଇଥିବା ବେଳେ ଉକ୍ତ ରାସ୍ତାରେ ରାତ୍ରି ସମୟରେ ଲୋକଙ୍କ ଯାତାୟତ ବହୁ କମଥାଏ। ଫାଇନାନ୍ସ କର୍ମଚାରୀ ମାନେ ଲକ୍ଷାଧିକ ଟଙ୍କା ଧରି ବେପରୁଆ ଭାବରେ ରାତିରେ ଉକ୍ତ ରାସ୍ତା ଦେଇ ଫେରିବାକୁ ସାଧାରଣ ଲୋକ ନାପସନ୍ଦ କରିବା ସହ ଉକ୍ତ ଘଟଣା ଉପରେ ସନ୍ଦେହ ପ୍ରକଟ କରିଛନ୍ତି।

ଫାଇନାନ୍ସ କର୍ମଚାରୀ ମାନଙ୍କର ଏହିଭଳି ବେପରୁଆ କାର୍ଯ୍ୟହେତୁ ସାଧାରଣ ଲୋକଙ୍କ ସହ ପୋଲିସ ମଧ୍ୟ ଅଡୁଆ ପରିସ୍ଥିତିରେ ପଡୁଛି। ତେବେ ଏହାର ତଦନ୍ତ ପରେ ପ୍ରକୃତ କଥା ଲୋକଲୋଚନକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି।

Share This Article