ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପୁସ୍ତକ “ସବ୍ୟସାଚୀର ଶବ୍ଦ” ଉନ୍ମୋଚିତ

Odisha Hot News
2 Min Read

ଭୁବନେଶ୍ବର: ବିଶ୍ବ ମାତୃଭାଷା ଦିବସ ଅବସରରେ ଆଜି ରାଜ୍ୟ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ କବିତା ସଂକଳନ ” ସବ୍ୟସାଚୀର ଶବ୍ଦ” ଉନ୍ମୋଚିତ ହୋଇଯାଇଛି।

ସ୍ଥାନୀୟ ଭାରତୀୟ ବିଦ୍ୟା ଭବନ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜ୍ଞାନପୀଠ ପୁରସ୍କାରରେ ଭୂଷିତ ବିଶିଷ୍ଟ ସାହିତ୍ୟିକ ପଦ୍ମ ବିଭୂଷଣ ଡକ୍ଟର ସୀତାକାନ୍ତ ମହାପାତ୍ର ପୁସ୍ତକ ଉନ୍ମୋଚନ କରିଥିଲେ।

ଏହି ଅବସରରେ ସେ କହିଥିଲେ ଯେ, ଅତନୁଙ୍କ କବିତାରେ ତିନୋଟି ମୁଖ୍ୟ କଥା ରହିଛି- ତାଙ୍କ ବାପା, ବୋଉ ଏବଂ ଚିତ୍ରୋତ୍ପଳା ନଦୀ। ଏମାନଙ୍କ ଉପରେ ସେ କବିତା ଲେଖିଛନ୍ତି। “ସବ୍ୟସାଚୀର ଶବ୍ଦ” ଅନୁଭୂତିର କବିତା ବୋଲି ଦର୍ଶାଇ ସେ କହିଥିଲେ ଯେ, ଗଭୀର ଅନୁଭୂତି ଓ ଅଭିଜ୍ଞତା ନଥିଲେ କବିତା ଲେଖିହୁଏ ନାହିଁ।

ସମ୍ମାନିତ ଅତିଥି ବିଶିଷ୍ଟ ସାହିତ୍ୟିକା ପ୍ରଫେସର ଡକ୍ଟର ସଂଘମିତ୍ରା ମିଶ୍ର ପୁସ୍ତକ ଉପରେ ଆଲୋଚନା କରି କହିଥିଲେ ଯେ, ଅତନୁଙ୍କ କବିତାରେ କାରୁଣ୍ୟର ସ୍ବର ରହିଛି। ତାଙ୍କର ଜୀବନାନୁଭୂତି ପ୍ରଚୁର। ତେଣୁ ସେ ଆହୁରି ଲେଖନ୍ତୁ ବୋଲି ଶ୍ରୀମତୀ ମିଶ୍ର ଉପଦେଶ ଦେଇଥିଲେ।

ଲେଖକ ଅତନୁ ସବ୍ୟସାଚୀ ନିଜ କବିତା ରଚନା ଉପରେ ଆଲୋକପାତ କରି କହିଥିଲେ ” ମୋ ବୋଉ ମୋ ପ୍ରେରଣା। ମତେ ସେ ହିଁ କଲମ ଧରେଇଛନ୍ତି।” ସେ ଦର୍ଶାଇଥିଲେ, ଆଗରୁ କିଛି କିଛି କବିତା ଲେଖିଛି। କିନ୍ତୁ ବିଶେଷ ପ୍ରକାଶ ପାଇନାହିଁ।

ପିଲାଦିନେ ମନପବନ ଓ ମୀନାବଜାରରେ ମୋର କିଛି ଲେଖା ପ୍ରକାଶିତ ହୋଇଛି। ମୋ ମନର ଆବେଗ ଓ ଭାବପ୍ରବଣତା କବିତା ଆକାରରେ ବାହାରି ଆସିଥିଲା। ସେସବୁ ଆଜି ସଂକଳିତ ହୋଇଛି।

ଉତ୍ସବରେ ସଭାପତିତ୍ବ କରି ବିଶିଷ୍ଟ ସାହିତ୍ୟିକ ଡକ୍ଟର ଗୌରହରି ଦାସ କହିଥିଲେ, ଆଜି ଗୋଟିଏ ଭଲ ଦିନ। ଆଜି ଆନ୍ତର୍ଜାତିକ ମାତୃଭାଷା ଦିବସ। ମାତୃଭାଷା ବଞ୍ଚିବ, ଯଦି ମାତୃଭାଷାରେ ଆମେ ଲେଖିବା। ଆଜି ଅତନୁ ବାବୁ ନିଜ ବହି ଉନ୍ମୋଚନ କରାଇ ମାତୃଭାଷାର ସେବା କରିଛନ୍ତି।

ମାଆ ବାପା ସାହିତ୍ୟର ସେବା କଲେ ତା’ର ପ୍ରଭାବ ପିଲାଙ୍କ ଉପରେ ପଡ଼େ। ଏହାର ପ୍ରକୃଷ୍ଟ ଉଦାହରଣ ଅତନୁ ବାବୁ। ସେ ଜଣେ ସଫଳ ରାଜନେତା, ମନ୍ତ୍ରୀ। ଆଜି କବି ଭାବେ ସେ ନୂଆ ପରିଚୟ ପାଇଲେ ବୋଲି ଡକ୍ଟର ଦାସ ପ୍ରକାଶ କରିଥିଲେ।

ପ୍ରାରମ୍ଭରେ ପୁସ୍ତକର ପ୍ରକାଶକ ବ୍ଲକ ଈଗଲ ବୁକ୍ସ ପକ୍ଷରୁ ଅଶୋକ ପରିଡ଼ା ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ନିଳୟକାନ୍ତ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ସାହିତ୍ୟିକ ଶତ୍ରୁଜିତ୍ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଲେଖକ, ବିଧାୟକ ଦେବୀ ମିଶ୍ର, ରାଜନେତା, ଲେଖକଙ୍କ ପରିବାର, ଶୁଭେଚ୍ଛୁ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Share This Article