ବିଦାୟ ନେଲା ୨୦୨୩, ଆନନ୍ଦ, ଉତ୍ସାହ ଓ ଉଲ୍ଲାସର ସହ ଆରମ୍ଭ ହେଲା ନୂଆବର୍ଷ

Odisha Hot News
1 Min Read

ରଣପୁର: ସବୁଆଡେ ଆଜି ପୁରୁଣା ବର୍ଷ ୨୦୨୩ କୁ ବିଦାୟ ଦେଇ ନୂତନ ବର୍ଷ ୨୦୨୪ କୁ ସ୍ୱାଗତ କରାଯାଇଛି। ଏହି ଅବସରରେ ଲୋକମାନେ ପରିବାର, ବନ୍ଧୁବର୍ଗଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ବିଭିନ୍ନ ସ୍ଥାନ ବୁଲି ଭୋଜି ଭାତରେ ମଜି ଥିଲେ।

ଓଡିଶାରେ ଦ୍ଵିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ଜଗନ୍ନାଥ ମନ୍ଦିରରେ ମଧ୍ୟ ଆଜି ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ନୂତନ ବର୍ଷରେ ଭକ୍ତମାନେ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରି ନୂତନ ବର୍ଷଟି ଭଲରେ ବିତିବା ପାଇଁ ପ୍ରଭୁଙ୍କୁ ନିବେଦନ କରିଥିଲେ। ଏହି ସମୟରେ ରଣପୁର ବଜାରରେ ସାମୟିକ ଭାବେ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା।

ଅନ୍ୟ ପଟେ ବେଶ ଜଣାଶୁଣା ସୁନାଖଳା ନିକଟସ୍ଥ କୋଟଗଡ଼ ପାର୍କର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଆଜି ଲକ୍ଷାଧିକ ଲୋକଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳି ଥିଲା।  ଏଥିପାଇଁ ପ୍ରାୟ ୪ ଘଣ୍ଟା ଧରି କୋଟଗଡ଼ ପାର୍କ ଠାରୁ ସୁନାଖଳା ପର୍ଯ୍ୟନ୍ତ ଏବଂ ସୁନାଖଳା ଠାରୁ ଖୋର୍ଦ୍ଧା-ନୟାଗଡ଼ ରାସ୍ତାରେ ଯାନବାହାନଗୁଡିକ ଅଟକି ରହିଥିଲା। ଏଥିପାଇଁ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା, ଯାହା ଫଳରେ ଯାତ୍ରୀମାନେ ଯିବା ଆସିବାରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ଶେଷରେ ସୁନାଖଳା ଫାଣ୍ଡି ଅଧିକାରୀ ପ୍ରୀତି ପ୍ରକାଶ ମହାନ୍ତି ପାର୍କରେ ପହଞ୍ଚି ଲୋକମାନଙ୍କ ପ୍ରବେଶକୁ ବନ୍ଦ କରି ପାର୍କର ଗେଟ ବନ୍ଦ କରିଥିଲେ। ଏହା ସ୍ୱତେ ଟ୍ରାଫିକ ସମସ୍ୟା ନ କମିବାରୁ ରଣପୁର ଥାନାର ସହାୟତା ନେଇଥିଲେ। ଫଳରେ ରଣପୁର ପୋଲିସ ଓ ସୁନାଖଳା ଫାଣ୍ଡି ପୋଲିସ ମିଳିତ ଭାବେ ପାର୍କ ନିକଟକୁ ଯାଇ ଟ୍ରାଫିକ ସମସ୍ୟାକୁ ଧୀରେ ଧୀରେ ଆୟତ୍ତଧୀନ କରିବା ପାଇଁ ଚେଷ୍ଟା କରିଥିଲେ। ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଏହାର ସ୍ଥାୟୀ ସମସ୍ୟା କରିବା ପାଇଁ ଗାଡିଚାଳକ, ପର୍ଯ୍ୟଟକ ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

Share This Article