ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବାଲେଶ୍ୱର ବାହାନଗାରେ ଛାତ୍ରଛାତ୍ରୀମାନଙ୍କ ସହ “କାହାଣୀ, କଳା, ଖୁସି’ ପାଳନ

Odisha Hot News
2 Min Read

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ସରକାରୀ ଉଚ୍ଚ ବିଦ୍ୟାଳୟରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ କାହାଣୀ ପ୍ରସ୍ତୁତ କରିବା, କଳାକୁ ପ୍ରେରଣା ଦେବା ଏବଂ ଛାତ୍ରଛାତ୍ରୀଙ୍କ ସହ ଖୁସି ସୃଷ୍ଟି କରିବା ଭଳି କାର୍ଯ୍ୟକ୍ରମ “କାହାଣୀ, କଳା, ଖୁସି’ ପାଳିତ ହୋଇଯାଇଛି।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଆକର୍ଷଣୀୟ ସ୍କୁଲ ବ୍ୟାଗ୍‌‌, କଲର ବକ୍ସ, କ୍ରେୟନ, ଆର୍ଟ ବ୍ରସ୍ ଆଦି କଳା /ଚିତ୍ରାଙ୍କନ ସାମଗ୍ରୀ ଏବଂ ଆଉ କିଛି ଉପହାର ବଣ୍ଟନ କରାଯାଇଛି। ବାହାନଗା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯଦୁନାଥ ସିଆଲ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ, ରିଲାଏନ୍ସ ଫାଉଣ୍ଡେସନ ଅଧିକାରୀ ଏବଂ ରିଲାଏନ୍ସ ଜିଓ, ରିଲାଏନ୍ସ ରିଟେଲ, ଜିଓ-ବିପି ସମେତ ଅନ୍ୟ ଆରଆଇଏଲ୍ ଗ୍ରୁପ୍ କମ୍ପାନିର କର୍ମଚାରୀ ସ୍ୱେଚ୍ଛାସେବୀମାନଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫ୍ ଓ ଓଏସଡିଏମଏର ମାନସିକ ସ୍ୱାସ୍ଥ୍ୟ ଓ ମାନସିକ-ସାମାଜିକ ବିଶେଷଜ୍ଞ ମଧୁମିତା ଦାସ, ମିଳିତ ଜାତିସଂଘ- ଇଣ୍ଡିଆ ୟୁୱା ଆଡଭୋକେଟ୍ ୨୦୨୨-୨୪ ସୌମ୍ୟରଂଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

ଅପରାହ୍ନରେ ବଜ୍ରପାତ ସମୟରେ ବିଭିନ୍ନ ସୁରକ୍ଷା କୌଶଳ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଛାତ୍ରଛାତ୍ରୀଙ୍କ ପାଇଁ ବଜ୍ରପାତ ନିରାପତ୍ତା କୌଶଳ ଉପରେ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାଲେଶ୍ୱର ଜିଲ୍ଲା ଜରୁରୀକାଳୀନ ବିଭାଗ ପ୍ରକଳ୍ପ ଅଧିକାରୀ ଜ୍ୟୋତିର୍ମୟ ବିଶ୍ୱାଳଙ୍କ ଉପସ୍ଥିତିରେ ଓଏସଡିଏମଏ ମାଷ୍ଟର ଟ୍ରେନର ପ୍ରିୟ ରଞ୍ଜନ ରାଉତ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସୁରକ୍ଷା ଉପାୟ ଓ ବଜ୍ରପାତ ନିରାପତ୍ତା ସ୍ଥିତି ପ୍ରଦର୍ଶିତ କରିଥିଲେ।

ଅନ୍ୟ ଏକ ସ୍ୱତନ୍ତ୍ର ଅଧିବେଶନରେ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସଂରକ୍ଷଣ ପାଇଁ ପ୍ରକୃତି ଭିତ୍ତିକ ସମାଧାନ ଉପରେ ମିଳିତ ଜାତିସଂଘ-ଇଣ୍ଡିଆ ୟୁୱା ଆଡଭୋକେଟ ୨୦୨୨-୨୪ ସୌମ୍ୟ ରଞ୍ଜନ ବିଶ୍ୱାଳ ଏକ ସୁସ୍ଥ ଏବଂ ସୁରକ୍ଷିତ ପରିବେଶ ପାଇଁ ହେନ୍ତାଳବଣ ପରିବ୍ୟବସ୍ଥା ଏବଂ ହେନ୍ତାଳବଣ ସଂରକ୍ଷଣର ଗୁରୁତ୍ୱ ବିଷୟରେ ସୂଚନା ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ ଯେ, ରିଲାଏନ୍ସ ଫାଉଣ୍ଡେସନ ବାଲେଶ୍ୱରରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଗୁରୁତର ପ୍ରଭାବିତ ପରିବାରଗୁଡିକୁ ସହାୟତା ପ୍ରଦାନ କରିବା ସହ ଶୁଖିଲା ରାସନ ବଂଟନ, ପ୍ରଭାବିତ ବ୍ୟକ୍ତି ଓ ପରିବାରକୁ ସହାୟତା ଉପକରଣ ଯୋଗାଣ ସହିତ ସ୍ନେହ ସୃଜନ ଅଧିବେଶନ ମାଧ୍ୟମରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କୁ ଭାବନାତ୍ମକ ଓ ମାନସିକ ସହାୟତା ଭଳି ଅନେକ ପଦକ୍ଷେପ ଆରମ୍ଭ କରିଥିଲା। ରିଲାଏନ୍ସ ଫାଉଣ୍ଡେସନ “ସ୍ନେହ ସୃଜନ’ ଅଭିଯାନ ମାଧ୍ୟମରେ ପିତାମାତା ଏବଂ ପିଲାମାନଙ୍କ ସମେତ ଗୋଷ୍ଠୀ ସମୁଦାୟର ମାନସିକ ଅବସ୍ଥାରେ ଉନ୍ନତି ଆଣିବା ଉପରେ ଧ୍ୟାନ ଦେଇଥିଲା। ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଅନ୍ୟାନ୍ୟ ଅଂଶୀଦାରଙ୍କ ସହ ସ୍ନେହ ସୃଜନ ଅଧିବେଶନର ତିନୋଟି ପର୍ଯ୍ୟାୟ ମାନସିକ ଚାପ ହ୍ରାସ କରିବାରେ ସହାୟକ ହୋଇଛି ଏବଂ ଫଳସ୍ୱରୂପ ବିଦ୍ୟାଳୟକୁ ଆସୁଥିବା ଏବଂ କ୍ଲାସରେ ଯୋଗ ଦେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ରିଲାଏନ୍ସ ଫାଉଣ୍ଡେସନ୍ ମଧ୍ୟ ଏହି ବିଦ୍ୟାଳୟକୁ କିଛି ଲେଖନ ବୋର୍ଡ ପ୍ରଦାନ କରିଥିଲା ଯାହା ନବନିର୍ମିତ ଶ୍ରେଣୀ ଗୃହଗୁଡ଼ିକୁ ଠିକ୍ ସମୟରେ କାର୍ଯ୍ୟ କରିବାରେ ସାହାଯ୍ୟ କରିଥିଲା।

Share This Article