ସାଉଦି ଆରବରେ ଓଡ଼ିଶା ସାମାଜିକ ଓ ସାଂସ୍କୃତିକ ସଂଗଠନ (ରୋଜା)ର ୧୫ତମ ବାର୍ଷିକଉତ୍ସବ

Odisha Hot News
2 Min Read

ଭୁବନେଶ୍ଵର: ସାଉଦି ଆରବର ରିୟାଦରେ ରହୁଥିବା ଓଡ଼ିଆ ମାନଙ୍କୁ ନେଇ ଗଢ଼ିଉଠିଥିବା ସଂଘ ରିୟାଦ ଓଡ଼ିଶା ସାମାଜିକ ଓ ସାଂସ୍କୃତିକ ସଂଗଠନ ବା ରୋଜା ତାର ୧୫ତମ ବାର୍ଷିକଉତ୍ସବ ୧୭ ନଭେମ୍ବର ୨୦୨୩ରେପାଳନ କରିଅଛି। ଉକ୍ତ ଦିନ ଉତ୍ସବ ମୁଖର ପରିବେଶ ମଧ୍ୟରେ ଓଡ଼ିଶା ବାହାରେ ଏକ କ୍ଷୁଦ୍ର ଓଡ଼ିଶାର ଭ୍ରମ ସୃଷ୍ଟି ହୋଇଥିଲା। ଦୀର୍ଘ ୧୫ ବର୍ଷ ଧରି ରୋଜା, ଉତ୍କଳୀୟ ସଂସ୍କୃତି ଓ ସାମାଜିକ ଦାୟିତ୍ଵ ନିରନ୍ତର ଭାବେ ପାଳନ କରିଆସିଛି।

ଉତ୍ସବର ମୁଖ୍ୟ ଅତିଥି ଭାବେ ଭାରତୀୟ ଦୂତାବାସର ମିସନ୍ ଉପମୁଖ୍ୟ ଶ୍ରୀ ଆବୁ ମାଥେନ୍ଜର୍ଜ ଯୋଗ ଦେଇଥିଲେ। ଅନ୍ୟ ସମ୍ମାନିତ ଅତିଥି ମଧ୍ୟରେ ଥିଲେ ପ୍ରଥମ ସଚିବ ଶ୍ରୀମତୀ ମନୁସ୍ମୃତି, ଦ୍ଵିତୀୟ ସଚିବ ମୋଇନ ଅଖତର ଓ ଶରତ କୁମାର ନାୟକ ତଥା ଆସମାକ୍ ଗୃପର ଚେୟାରମ୍ୟାନ ଡଃ ଦେବ ମହାନ୍ତି, ସିକ୍ୟୁଅରଆଇଜ ଗୃପର ପ୍ରତିଷ୍ଠାତା ସୀମାନ୍ତ ପଟ୍ଟନାୟକ ଏବଂ ସୁନାମଧନ୍ୟ ଗାୟିକା କଣ୍ଠଶିଳ୍ପୀ ଅନିନ୍ଦିତା ଦାସ।

ରୋଜାର ସଭାପତି, ସରୋଜ କୁମାର ପାଣିଗ୍ରାହୀ ଓ ପରାମର୍ଶ ଦାତା ଦେବାଶିଷ ରାଉତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ। ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ସଙ୍ଗଠନର ମାର୍ଗଦର୍ଶକ ଡଃ ଦେବ ମହାନ୍ତି ଓଡ଼ିଆ ଅସ୍ମିତା ଓ ଗୌରବ ଗାଥାର ବାର୍ତ୍ତା ଦେଇଥିଲେ। କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଫଜଲ୍ରୋଜାର ବିଭିନ୍ନ ବିଭବ ଉପରେ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ଉପସ୍ଥିତ ଅତିଥିଙ୍କ ହସ୍ତରେ ସ୍ମରଣିକା ଉନ୍ମୋଚନ ମଧ୍ୟ ହୋଇଥିଲା।

ଉତ୍ସବରେ ପ୍ରଦର୍ଶିତ ହୋଇଥିବା ସମସ୍ତ କାର୍ଯ୍ୟକ୍ରମ ଅତ୍ୟନ୍ତ ମନ ମୁଗ୍ଧକର ଥିଲା। ଓଡ଼ିଶୀ, ସମ୍ବଲପୁରୀ, ଆଧୁନିକନୃତ୍ୟ ଓ ଅନ୍ୟାନ୍ୟ ପ୍ରଦର୍ଶନରେ ଶିଶୁ, ଯୁବା, ପ୍ରୌଢ଼ ସଭିଏଁ ଭାଗ ନେଇଥିଲେ, ଯାହାକୁ ଉପସ୍ଥିତ ପ୍ରାୟ ୫୦୦ ଦର୍ଶକ ମନ ଭରି ଉପଭୋଗ କରିଥିଲେ। ନୃତ୍ୟ ନିର୍ଦ୍ଦେଶନାର ଭାର ସୁଚାରୁ ରୂପେ ତୁଲାଇଥିଲେ ଡଃ ଚନ୍ଦନା ପଟ୍ଟନାୟକ, ଦୀପିକା ପାଣିଗ୍ରାହୀ, ଦୀପିକା ପାତ୍ର ଓ ମେହେବିସ ଗିଲାନି। ନିମନ୍ତ୍ରିତଥିବା ସାଉଦି ଆରବର ଅନ୍ୟ ଦୁଇ ପ୍ରମୁଖ ସହର ଜୁବେଲ ଓଡ଼ିଆ ସଂଗଠନ ଉତ୍କଳିକା ଓ ଦମାମର ଓଡ଼ିଆ ସଂଗଠନ କଲିଙ୍ଗନ୍ମଧ୍ୟ ବନ୍ଧୁତ୍ୱ ସ୍ୱରୂପ ମନ ମୁଗ୍ଧକର ନୃତ୍ୟ ପରିବେଷଣ କରିଥିଲେ। ଅତିଥି ଗାୟିକା ସୁନାମଧନ୍ୟ ଅନିନ୍ଦିତା ଦାସଙ୍କ ସୁଲଳିତ ସଙ୍ଗୀତ ଉପସ୍ଥିତ ଶ୍ରୋତାଙ୍କୁ ଅଭିଭୂତ କରିଥିଲା।

ମୁଖ୍ୟ ଅତିଥି ଶ୍ରୀ ଜର୍ଜ ଉତ୍କଳୀୟ ପରମ୍ପରାକୁ ନେଇ ରୋଜାର ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମଟିକୁ ସଫଳ ପାଇଁ “ରୋଜା”ର ସମସ୍ତ କର୍ମକର୍ତ୍ତାମାନେ ଉଦ୍ୟମ କରିଥିଲେ।

Share This Article