ଆଜି ପୂର୍ବତନ ରାଷ୍ଟ୍ରପତି ଭିଭି ଗିରଙ୍କ ଜନ୍ମଦିନ: ଆଜି ଦ୍ରୌପଦୀ ମୁର୍ମୁ ଓଡିଶାରୁ ରାଷ୍ଟ୍ରପତି ହେଉଥିବାରୁ ସାରା ଓଡିଶାରେ ଆନନ୍ଦର ଲହରୀ ଖେଳିଯାଇଛି। ଚାରିଆଡେ ଖୁସିର ବାତାବରଣ। ହେଲେ ତାଙ୍କ ପୂର୍ବରୁ ଓଡିଶାର ଆଉ ଜଣେ ବ୍ୟକ୍ତି ମଧ୍ୟ ହୋଇଥିଲେ ରାଷ୍ଟ୍ରପତି। ସେ ହେଉଛନ୍ତି ଭି.ଭି ଗିରି ବା ଭାରାହାଗିରି ଭେଙ୍କଟା ଗିରି। ସେ ୧୦ ଅଗଷ୍ଟ ୧୮୯୪ ମସିହାରେ ଓଡିଶାର ବ୍ରହ୍ମପୁରର ଏକ ତେଲୁଗୁ ଭାଷାଭାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ସେହିଠାରେ ସେ ସ୍କୁଲ ଶିକ୍ଷା ସହିତ ଖଲିକୋଟ କଲେଜରୁ ଗ୍ରାଜୁଏସନ କରିଥିଲେ।
ତାଙ୍କର ପିତା ଭି.ଭି ଜୋଗାୟାପାଣ୍ଟୁଲୁ ବ୍ରହ୍ମପୁରର ଜଣେ ବିଶିଷ୍ଟ ଆଇନଜୀବୀ ହୋଇଥିବା ବେଳେ ମାତା ସୁଭଦ୍ରାମା ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଫଳରେ ଭି ଭି ଗିରିଙ୍କୁ ଖୁବ୍ କମ୍ ବୟସରେ ରାଜନୀତି କରିବାର ସୁଯୋଗ ମିଳିଥିଲା। କେବଳ ସେ ନୁହଁନ୍ତି ତାଙ୍କ ସାନ ଭଉଣୀ ଆଦ୍ରୁତି ଲକ୍ଷ୍ମୀବାଇ ମଧ୍ୟ ରାଜନୀତିରେ ପ୍ରବେଶ କରି ୧୯୪୬ ରୁ ୧୯୫୨ ପର୍ଯ୍ୟନ୍ତ ଓଡିଶା ବିଧାନସଭାର ପ୍ରଥମ ମହିଳା ଉପବାଚସ୍ପତି ହୋଇଥିଲେ।


ଏହାପରେ ସେ ତିନୋଟି ରାଜ୍ୟର ରାଜ୍ୟପାଳ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେହି ରାଜ୍ୟଗୁଡିକ ହେଲା ଉତ୍ତରପ୍ରଦେଶ (୧୯୫୭ -୧୯୬୦), କେରଳ (୧୯୬୦-୧୯୬୫) ଏବଂ କର୍ଣ୍ଣାଟକ (୧୯୬୫–୧୯୬୭)। ସେ ୧୯୬୭ ମସିହାରେ ଭାରତର ଉପରାଷ୍ଟ୍ରପତି ହୋଇ ୧୯୬୯ ପର୍ୟ୍ୟନ୍ତ କାର୍ୟ୍ୟ କରିଥିଲେ। ଏହି ସମୟରେ ଭାରତର ତତକାଳିନ ରାଷ୍ଟ୍ରପତି ଜାକିର ହୁସେନଙ୍କ ଦେହାନ୍ତ ପରେ ଭି ଭି ଗିରି ରାଷ୍ଟ୍ରପତି ଭାବେ ଅସ୍ଥାୟୀ ଦାୟିତ୍ବରେ ରହିଥିଲେ। ଏହାପରେ ସେ ରାଷ୍ଟ୍ରପତି ପାଇଁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ସେହି ପଦରୁ ଇସ୍ତଫା ଦେଇଥିଲେ।
ସେତେବେଳେ କଂଗ୍ରେସର ଆଭ୍ୟନ୍ତର କନ୍ଦଳ ପାଇଁ ଭି ଭି ଗିରି ଦଳୀୟ ପ୍ରାର୍ଥୀ ନ ହୋଇ ସ୍ବାଧୀନ ଭାବେ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ଜିତିଥିଲେ। ଭି ଭି ଗିରିଙ୍କୁ ଛାଡିଦେଲେ ଆଜି ପର୍ୟ୍ୟନ୍ତ କେହେ ବି ସ୍ବାଧୀନ ପ୍ରାର୍ଥୀ ରାଷ୍ଟ୍ରପତି ହୋଇପାରି ନାହାଁନ୍ତି। ଗିରି ୨୪ ଅଗଷ୍ଟ ୧୯୬୯ ରେ ଭାରତର ୪ର୍ଥ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ। ସେ ୧୯୭୪ ପର୍ୟ୍ୟନ୍ତ ପୂର୍ଣ୍ଣକାଳ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ। ୧୯୭୫ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତରତ୍ନ ପ୍ରଦାନ କରାଯାଇଥିଲା।

ଗିରି ୨୮ ଜୁନ ୧୯୮୦ ମସିହାରେ ପରଲୋକ ଗମନ କରିଥିଲେ। ହେଲେ ସେ ଓଡିଶା ତଥା ଭାରତ ଇତିହାସରେ ଜଣେ ବିରଳ ବ୍ୟକ୍ତିତ୍ବ ଭାବେ ପରିଗଣିତ ହୋଇ ଆସୁଛନ୍ତି। ତାଙ୍କର ଜନ୍ମସ୍ଥାନ ବ୍ରହ୍ମପୁରରେ ତାଙ୍କର ବାସସ୍ଥାନ ରହିଛି। ହେଲେ ତାହାକୁ ତାଙ୍କ ପରିବାର ସ୍କୁଲକୁ ଦାନ କରିଦେଇଥିଲେ।
ଯାହା ବର୍ତ୍ତମାନ ବ୍ରହ୍ମପୁରରେ ‘ଗିରିରୋଡ ବାଳିକା ସ୍କୁଲ’ ଭାବେ ପରିଚାଳିତ। ସେହିପରି ତାଙ୍କ ନାମରେ ଏକ ବଜାର ମଧ୍ୟ ରହିଛି ଯାହା ଗିରି ମାର୍କେଟ ଭାବେ ପରିଚିତ। ହେଲେ ଦୁଃଖର କଥା ତାଙ୍କର ପ୍ରତିମୂର୍ତ୍ତିଟିଏ ତାଙ୍କ ଜନ୍ମସ୍ଥାନ କିମ୍ବା ରାଜଧାନୀରେ ମଧ୍ୟ ନାହିଁ। ଏପରିକି ତାଙ୍କର ଜୟନ୍ତି ମଧ୍ୟ କେହି କେବେ କେହି ପାଳନ କରୁ ନାହିଁ। ତାଙ୍କର ଓଡିଶାରେ ଜନ୍ମ, ଓଡିଶାରେ ପାଠପଢା, ଓଡିଶାର ଘର ହୋଇଥିଲେ ମଧ୍ୟ ତାଙ୍କୁ ଓଡିଶାର କହିବାକୁ ଅନେକ କୁଣ୍ଠାବୋଧ ମଧ୍ୟ କରୁଛନ୍ତି। ( ଫଟୋ ସୌଜନ୍ୟ- ରାଷ୍ଟ୍ରପତି ଭବନ ଅଭିଲେଖାଗାର )

Comment