ବେଆଇନ ବାଣ ଦୋକାନ ସିଜ କଲା ବାଲୁଗାଁ ପୋଲିସ, ମାଲିକ ଗିରଫ

Odisha Hot News
1 Min Read

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ସନ୍ଧ୍ୟାରେ ବେଆଇନ ବାଣ ଗୋଦାମକୁ ସିଲ କରିବା ସହ ହଜାର ହଜାର ଟଙ୍କାର ବାଣ ଜବତ କରିଛି ବାଲୁଗାଁ ପୋଲିସ। ଆଲୋକର ପର୍ବ ପବିତ୍ର ଦୀପାବଳି ଅବସରରେ ଜଳବାୟୁ ପ୍ରଦୂଷିତ ନେଇ ଉଚ୍ଚତମ ନ୍ୟାୟାଳୟ ପ୍ରଦୂଷଣ ସୃଷ୍ଟି କରୁଥିବା ବାଣ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରିଥିଲେ। ମାତ୍ର ଦୀପାବଳିରେ ବାଣ ଫୁଟାଇବା ପରମ୍ପରା ଥିବାରୁ ସରକାରୀ ନିୟମ ଅନୁସାରେ ବାଣ ବଜାର ମାନ ଗଢି ଉଠିଥିଲା।

ଏହି ପରିପ୍ରେକ୍ଷୀରେ ବାଲୁଗାଁ ଅଶୋକ ନଗର ସ୍ଥିତ ଖୋଲା ପଡ଼ିଆରେ ଅସ୍ଥାୟୀ ବାଣ ବଜାର ଖୋଲାଯାଇଥିଲା। ମାତ୍ର କିଛି ବାଣ ବେପାରୀ ବେଆଇନ ଭାବେ ବାଣ ବିକ୍ରି କରୁଥିବା ନେଇ ଖବର ପ୍ରସାରିତ ହେବାପରେ ସ୍ଥାନୀୟ ପୋଲିସ ପକ୍ଷରୁ ଧରପଗଡ଼ କରି ସମ୍ପୃକ୍ତ ବେପାରୀଙ୍କ ଠାରୁ ବାଣ ଜବତ କରାଯାଇଥିଲା। ମାତ୍ର ତନାଘନା ପରେ ଆଜି ସନ୍ଧ୍ୟାରେ ଆଇଆଇସି ଜୟ ପ୍ରକାଶ ପରିଡାଙ୍କ ନେତୃତ୍ୱରେ ସଦଳବଳେ ଚଢ଼ାଉ ଜାରି ରହିଥିବା ବେଳେ ଏକ ବାଣ ଗୋଦାମରେ ଗଚ୍ଛିତ ଥିବା ହଜାର ହଜାର ଟଙ୍କାର ବାଣ ଜବତ କରିବାସହ ଉକ୍ତ ଗୋଦାମକୁ ସିଲ କରାଯାଇଛି।

ଜବତ ହୋଇଥିବା ବାଣର ଆନୁମାନିକ ମୂଲ୍ୟ ୪୦ ହଜାରରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି।ସମ୍ପୃକ୍ତ ବାଣ ଗୋଦାମ ମାଲିକ ଜିତେନ୍ଦ୍ର ମହାରଣାଙ୍କ ବିରୁଦ୍ଧରେ କେଶ ନଂ ୩୨୫/୨୩ ରେ ମାମଲା ରୁଜୁ କରି ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଆଈଆଈସି ଶ୍ରୀ ପରିଡା ସୂଚନା ଦେଇଛନ୍ତି।

Share This Article