ଲକ୍‌ଡାଉନ୍‌ରେ ଫସିଲା ପୁଅ: ୧୪୦୦କି.ମି. ସ୍କୁଟି ଚଳାଇ ଘରକୁ ଆଣିଲେ ମା’

Odisha Hot News
1 Min Read

ହାଇଦ୍ରାବାଦ,୧୦।୪: ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଥିବା ବେଳେ ଏହାକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲକ୍‌ଡାଉନ୍‌ ଯୋଗୁ ବହୁ ଲୋକ ଘରକୁ ଫେରି ପାରି ନ ଥିବା ବେଳେ ବିଭିନ୍ନ ସ୍ଥାନରେ ଫସି ହୋଇ ରହିଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ ତୀବ୍ରଗତିରେ ବ୍ୟାପୁଥିବାରୁ ଯିଏ ଯେଉଁଠି ରହିଛି ସେଇଠି ରହିବାକୁ ସରକାର ପୂର୍ବରୁ ସମସ୍ତଙ୍କୁ ନିବେଦନ କରିଥିଳେ। ହେଲେ କେତେକ ଭୟଭୀତ ହୋଇ ଯେକୌଣସି ଉପାୟରେ ନିଜ ଘରକୁ ଫେରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଇତିମଧ୍ୟରେ ଲକ୍‌ଡାଉନ୍‌ରେ ଫସିଥିବା ପୁଅକୁ ଆଣିବା ପାଇଁ ଜଣେ ମା’ ସ୍କୁଟି ଚଳାଇ ପ୍ରାୟ ୧୪୦୦ କିଲୋମିଟର ଯାତ୍ରା କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ତେଲେଙ୍ଗାନାର ନିଜାମାବାଦରେ ରହୁଥିବା ୫୦ ବର୍ଷୀୟ ଶିକ୍ଷୟତ୍ରୀ ରଜିଆ ବେଗମଙ୍କ ସାନ ପୁଅ ଲକ୍‌ଡାଉନ୍‌ ଯୋଗୁ ଆନ୍ଧ୍ରପ୍ରଦେଶର ନେଲୋରରେ ଫସିଯାଇଥିଲେ। ପୁଅ ଘରକୁ ଫେରିବାର କୌଣସି ବ୍ୟବସ୍ଥା ନ ଥିବା ଦେଖି ତାଙ୍କୁ ନିଜେ ଆଣିବାକୁ ରଜିଆ ବିଚାର କରିଥିଲେ। ଏଥିପାଇଁ ସେ ସୋମବାର ସ୍ଥାନୀୟ ପୋଲିସଙ୍କଠାରୁ ଏକ ଅନୁମତି ପତ୍ର ଆଣିଥିଲେ। ଏହାପରେ ନିଜ ଘରଠୁଁ ୭୦୦ କିଲୋମିଟର ଦୂରରେ ଥିବା ନେଲୋର ଯାତ୍ରାରେ ବାହାରିଥିଲେ। ହାଇଓ୍ବେ ଓ ଶୂନଶାନ ରାସ୍ତା ଦେଇ ଶେଷରେ ରଜିଆ ନିଜ ପୁଅଙ୍କୁ ସ୍କୁଟିରେ ଧରି ବୁଧବାର ଘରକୁ ଫେରିଥିଲେ। ତେବେ ଏହି ୧୪୦୦କିଲୋମିଟର ଯାତ୍ରା କରିବାକୁ ତାଙ୍କୁ ମାତ୍ର ୩ ଦିନ ଲାଗିଥିଲା। ପ୍ରତିଦିନ ସେ ୪୭୦ କିଲୋମିଟର ଗାଡି ଚଳାଉଥିବା ଜଣାପଡ଼ିଛି। ସ୍କୁଟିରେ ଏହି ଯାତ୍ରା କଠିନ ଥିବା ବେଳେ କିନ୍ତୁ ପୁଅକୁ ଆଣିବା ଲାଗି ସେ ଦୃଢ଼ମନୋଭାବ କରିଥିଲେ ବୋଲି ରଜିଆ କହିଛନ୍ତି। ତେବେ ପୁଅକୁ ଘରକୁ ଆଣିବା ପରେ ରଜିଆ ଓ ତାଙ୍କ ପରିବାରରେ ଖୁସିର ମାହୋଲ ଖେଳିଯାଇଛି। ଅପରପକ୍ଷେ ରଜିଆଙ୍କ ଏହି କାର୍ଯ୍ୟ ପାଇଁ ତାଙ୍କୁ ସବୁ ମହଲରେ ପ୍ରଶଂସା କରାଯାଇଛି।

Share This Article
Leave a Comment