ବନ୍ଦ ବିଦ୍ୟାଳୟ ପୁନଃ ଖୋଲିବାକୁ ଦାବି: ଧାରଣାରେ ବସିବାକୁ ଚେତାବନୀ ଦେଲେ ଗ୍ରାମବାସୀ

Odisha Hot News
2 Min Read

କନ୍ଦର୍ପ ବେହେରା
ରେଢାଖୋଲ: ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ କେଉଁଠି ଶିକ୍ଷକ ନାହିଁ ତ କେଉଁଠି କୋଠାଘର ନାହିଁ। ଏପରିକି ବିଦ୍ୟାଳୟ ମାନଙ୍କରେ କମ୍ ପିଲା ପଢୁଥିବାରୁ ବିଦ୍ୟାଳୟକୁ ବନ୍ଦ କରି ଦେଉଛନ୍ତି।  ଯା ଫଳରେ ଗ୍ରାମାଞ୍ଚଳର ପିଲାମାନେ ପାଠପଢାରେ ଡୋରି ବାନ୍ଧି ଦେଉଛନ୍ତି।

ସେମିତି ଏକ ବିଦ୍ୟାଳୟକୁ ସରକାର ବନ୍ଦ କରିବାରୁ ଗ୍ରାମର ସ୍ବେଚ୍ଛାସେବୀ କେତେଜଣ ମାଗଣାରେ ପାଠପଢାଉଥିବା ଜଣାପଡିଛି।

ଖବରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଳକ ସାହେବି ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲି ପଞ୍ଚୁ ଗ୍ରାମରେ ଥିବା ପ୍ରାଇମେରୀ ବିଦ୍ୟାଳୟଟି ଆଜକୁ ୩ ବର୍ଷ ହେଲା ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ଥିଲେ ମଧ୍ୟ ସ୍କୁଲ ଟି ସରକାର କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ଦର୍ଶାଇ ସ୍କୁଲ ଟି କୁ ବନ୍ଦ କରିଦେଇଛନ୍ତି। ଫଳରେ ଏହି ସ୍କୁଲ ରେ ପାଠ ପଢୁଥିବା ରେଙ୍ଗାଲିପଞ୍ଚୁ, ପାଟୁଳିଢିପ ଆଦି ଗ୍ରାମର ଛାତ୍ରଛାତ୍ରୀ ମାନେ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ଗ୍ରାମର ଛାତ୍ରଛାତ୍ରୀ ମାନେ ବାଧ୍ୟ ହୋଇ ସାହେବି ପ୍ରଥମିକ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଉଥିବା ଜଣା ପଡିଛି।

ବିଦ୍ୟାଳୟଟିକୁ ପୁନଃ ଖୋଲିବା ପାଇଁ ଗ୍ରାମ ବାସୀ ପୂର୍ବରୁ ନାକଟିଦେଉଳ ବିଇଓ , ବିଡ଼ିଓ, ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିୟାନ୍ ଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ କୌଣସି ଫଳ ମିଳିପାରି ନାହିଁ। ଫଳରେ ଛାତ୍ରଛାତ୍ରୀମାନେ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି।

ପ୍ରାଥମିକ ଶିକ୍ଷା ର ବିକାଶ ପାଇଁ ଗ୍ରାମବାସୀଙ୍କ ଉଦ୍ୟମ କ୍ରମେ ଏହି ରେଙ୍ଗାଲି ପଞ୍ଚୁ ପ୍ରାଥମିକ ବିଦ୍ୟାଳୟଟି ୧୯୭୧ ମସିହାରେ ସ୍ଥାପନ ହୋଇଥିଲା। ବିଦ୍ୟାଳୟ ବନ୍ଦ ହେବା ଦିନ ଠାରୁ ଗ୍ରାମବାସୀ ମାନେ ଶିକ୍ଷା ବିଭାଗଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରି ଆସିଥିଲେ ମଧ୍ୟ ସ୍କୁଲକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଦାବି କରିଆସୁଥିଲେ ମଧ୍ୟ କୌଣସି ସୁଫଳ ପାଇ ପାରିନାହାନ୍ତି। ଗ୍ରାମରେ ଥିବା ପିଲାଙ୍କ ପାଠପଢା ବ୍ୟାହତ ହେଉଥିବାରୁ ଗ୍ରାମର ଦୁଇଜଣ ଶିକ୍ଷିତ ଯୁବକ ପାଖାପାଖି ୪୫ ଜଣ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି।

ଗୁରୁବାର ଗ୍ରାମବାସୀ ପୁଣିଥରେ ନାକଟିଦେଉଳ ବିଇଓ ବିଜୟ କୁମାର ପାତ୍ରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବା ସହ ଆଗାମୀ ୧୦ଦିନ ମଧ୍ୟରେ ସ୍କୁଲ ଟି ପୁନଃ କାର୍ଯ୍ୟକ୍ଷମ ନହେଲେ ବିଇଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିବେ ବୋଲି ପ୍ରକାଶ କରିଛନ୍ତି।

Share This Article