ପ୍ରମିଳା ମଲ୍ଲିକ ହେବେ ଓଡିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି

Odisha Hot News
1 Min Read

ଭୁବନେଶ୍ବର: ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ହେବେ ଓଡିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି। ଆସନ୍ତାକାଲି ବିଧାନସଭାରେ ହେବ ବାଚସ୍ପତି ନିର୍ବାଚନ। ଏଥିରେ ବିଜେଡି ପ୍ରାର୍ଥୀ ଭାବେ ପ୍ରମିଳା ନାମାଙ୍କନ ଦାଖଲ କରିବେ। ସଂଖ୍ୟା ଦୃଷ୍ଟିରୁ ପ୍ରମିଳା ନିର୍ଦ୍ବନ୍ଦରେ ନିର୍ବାଚିତ ହେବେ। ଏହା ଫଳରେ ସେ ଓଡିଶା ବିଧାନସଭାରେ ପ୍ରଥମ ମହିଳା ବାଚସ୍ପତି ହେବେ।

ଯାଜପୁର ଜିଲ୍ଲା ବିଂଝାରପୁର ଆସନରୁ ବିଧାୟିକା ଭାବେ ନିର୍ବାଚିତ ପ୍ରମିଳା ବର୍ତ୍ତମାନ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ସେ ଛଅ ଥର ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି। ସେ ପ୍ରଥମେ ୧୯୯୦ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିଲେ। ପୂର୍ବରୁ ସେ ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ଏବଂ ସରକାରୀ ମୁଖ୍ୟ ସଚେତକ ଭାବେ କାର୍ଯ୍ୟ ମଧ୍ୟ କରିଆସିଛନ୍ତି।

ବିଧାନସଭା ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ପଡିଛି। ବର୍ତ୍ତମାନ ଉପବାଚସ୍ପତି ରଜନୀକାନ୍ତ ସିଂ କାମଚଳା ବାଚସ୍ପତି ଭାବେ କାର୍ଯ୍ୟ କରୁଛନ୍ତି।

Share This Article