ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ମହନୀୟତା: ତିନି ଦିବ୍ୟାଙ୍ଗଙ୍କୁ ଦେଲେ ନୂଆ ଜୀବନ

Odisha Hot News
1 Min Read

ଖୋର୍ଦ୍ଧା: ଖୋର୍ଦ୍ଧା ଉପଜିଲ୍ଲାପାଳ ଦିପ୍ତୀରଞ୍ଜନ ସେଠୀଙ୍କ ମହନୀୟତା। ତିନି ଦିବ୍ୟାଙ୍ଗଙ୍କୁ ଦେଲେ ନୂଆ ଜୀବନ। ଘଟଣା ଘଟିଛି ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ଅଞ୍ଚଳରେ।

ନିକଟରେ ଉପଜିଲ୍ଲାପାଳ ଶ୍ରୀ ସେଠି କୌଣସି କାର୍ଯ୍ୟରେ ମୁକୁନ୍ଦପ୍ରସାଦ ଯାଉଥିବା ବେଳେ ହଠାତ ରାସ୍ତାରେ ଏକ ଅଭାବନୀୟ ଦୃଶ୍ୟ ତାଙ୍କ ନଜରକୁ ପଡିଥିଲା। ତିନି ଜଣ ଦିବ୍ୟାଙ୍ଗ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରୋଡରେ ଭିକ୍ଷା ମାଗୁଥିଲେ। ସେହି ସମୟରେ ଜଣେ ଦିବ୍ୟାଙ୍ଗଙ୍କ ଦୁଇ ଗୋଟି ଗୋଡ଼ ନଥିବା ବେଳେ ସେ ରୋଡରେ ଗଡି ଗଡି ଭିକ୍ଷା ମାଗୁଥିବାର ଦେଖିବାକୁ ମିଳିଥିଲା।

ଅନୁରୂପ ଭାବେ ଅନ୍ୟ ଦୁଇ ଦିବ୍ୟାଙ୍ଗଙ୍କ ଗୋଟିଏ ଲେଖାଏଁ ଗୋଡ଼ ଥିବା ବେଳେ ହୁଇଲ ଚେୟାରରେ ଜଣେ ବସିଥିବା ବେଳେ ଅନ୍ୟ ଜଣେ ହୁଇଲ ଚେୟାରକୁ ଟାଣ ଖରାରେ ଠେଲି ଠେଲି ନେଉଥିଲେ। ସେମାନେ ରାଜ୍ୟ ବାହାରର ହୋଇଥିବା ଜଣାପଡିଥିଲା।

ଏହା ଦେଖି ତୁରନ୍ତ ଉପ ଜିଲ୍ଲାପାଳ ନିଜ ଗାଡ଼ିରୁ ଓହ୍ଲାଇ ସେମାନଙ୍କ ପାଖକୁ ଯାଇଥିଲେ ଏବଂ ସମସ୍ତ ତିନି ଦିବ୍ୟାଙ୍ଗଙ୍କୁ ଗୁରୁଜଙ୍ଗସ୍ଥିତ ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟରକୁ ସ୍ଥାନାନ୍ତରିତ କରିଥିଲେ। ସେଠାରେ ସମସ୍ତ ଦିବ୍ୟାଙ୍ଗ ମାନଙ୍କର କୃତିମ ଗୋଡ଼ ଲଗାଯାଇଥିଲା। ତତସହିତ ଉପଜିଲ୍ଲାପାଳ ଶ୍ରୀ ସେଠି ବ୍ୟକ୍ତିଗତ ଭାବେ ସେମାନଙ୍କ ଅନ୍ୟ ସୁବିଧା କରାଇଛନ୍ତି।

ଉପଜିଲ୍ଲାପାଳଙ୍କ ଏହି କାର୍ଯ୍ୟକୁ ଖୋଦ ଜିଲ୍ଲାପାଳ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ଫେସବୁକ ଆଇଡ଼ିରେ ସେୟାର କରିଛନ୍ତି। ତେବେ ଉପଜିଲ୍ଲାପାଳଙ୍କ ଏହି ପ୍ରଚେଷ୍ଟା ଫଳରେ ତିନି ଦିବ୍ୟାଙ୍ଗ ନୂଆ ଜୀବନ ପାଇଥିବା ବେଳେ ଜିଲ୍ଲାବାସୀ ଉକ୍ତ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି।

Share This Article