ଓଡିଶାରେ ଆଗୁଆ ନିର୍ବାଚନ, କେଉଁ ଦଳ କେତେ ପ୍ରସ୍ତୁତ, କଣ କହୁଛନ୍ତି ଦଳର ନେତା

Odisha Hot News
2 Min Read

ଭୁବନେଶ୍ବର: ଓଡିଶାରେ ହେବ ଆଗୁଆ ନିର୍ବାଚନ। ଏ ନେଇ ରାଜନୈତିକ ଦଳଠାରୁ ଆରମ୍ଭ କରି ସାଧାରଣ କର୍ମିଙ୍କ ମହଲରେ ଚର୍ଚ୍ଚା ହେବାରେ ଲାଗିଛି। ଏହି ଆଗୁଆ ନିର୍ବାଚନ ନେଇ ରାଜ୍ୟର ରାଜନୈତିକ ଦଳଗୁଡିକ ମଧ୍ୟ ବୟାନବାଜୀ ଆରମ୍ଭ କରିଦେଇଛନ୍ତି। ସେମାନେ ସମସ୍ତେ ପ୍ରସ୍ତୁତ ବୋଲି ମିଡିଆରେ କହିସାରିଲେଣି।

ଏ ନେଇ ଖୋଦ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ, ଓଡିଶାରେ ଯେତେବେଳେ ବି ନିର୍ବାଚନ ହେଲେ କଂଗ୍ରେସ ସବୁବେଳ ପ୍ରସ୍ତୁତ ରହିଛି। ସେଥିରେ କିଛି ଆସୁବିଧା ହେବ ନାହିଁ। ବହୁଦିନରୁ କଂଗ୍ରେସ ତୃଣମୂଳ ସ୍ତରରୁ କାମ ଆରମ୍ଭ କରିଦେଇଛି। ଲୋକଙ୍କର ଆସ୍ଥାଭାଜନ ପାଇଁ ଦଳର ନେତାମାନେ ସେମାନଙ୍କ ଅଞ୍ଚଳରେ କାର୍ଯ୍ୟକ୍ରମ କରିସାରିଛନ୍ତି। ସେଥିପାଇଁ ଏବେ ନିର୍ବାଚନ ହେଲେ କୌଣସି ଅସୁବିଧା ହେବ ନାହିଁ।

ସେହିପରି ବିଜେପି ତରଫରୁ ମଧ୍ୟ ଏ ନେଇ ମତ ରଖାଯାଇଛି। ଦଳ କହିଛି ଯେ, ଓଡିଶାରେ ଆଗୁଆ ନିର୍ବାଚନ ହେବ ବୋଲି ସୂଚନା ରହିଛି। ସେହି ଅନୁସାରେ ଦଳ ତରଫରୁ ଯେପରି ପଦକ୍ଷେପ ଗ୍ରହଣ କରାଯିବା କଥା ତାହା ହୋଇ ସାରିଲାଣି। ତେଣୁ ଆଗୁଆ ହେଉ କି ଆଜି, ବିଜେପି ସବୁବେଳେ ନିର୍ବାଚନକୁ ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ହୋଇ ରହିଛି। ଓଡିଶାରେ ବିଜେପି ଏକା ଲଢିବ, କାହା ସହିତ ମେଣ୍ଟ କରିବ ନାହିଁ।

ସେହିପରି ବିଜେଡି ତରଫରୁ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ରଖାଯାଇଛି। ଯଦି ଆଗୁଆ ନିର୍ବାଚନ ହେବ ତେବେ ବିଜେଡି ହିଁ କରିବ। ତେବେ ଏ ନେଇ ବିଜେଡି ସାଂସଦ ମୁନ୍ନା ଖାନ କହିଛନ୍ତି ଯେ, ବିଜେଡି ଓଡିଶାରେ ଭଲସ୍ଥିତିରେ ରହିଛି। ଆଗ ଅପେକ୍ଷା ବିଜେଡି ଏଥର ଆହୁରି ଅଧିକ ଆସନରେ ଜିତିବ। ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ। ହେଲେ ବିଜେଡି କାହା ସହିତ ମେଣ୍ଟ କରିବାର ପ୍ରଶ୍ନ ଉଠୁ ନାହିଁ ବୋଲି ମୁନ୍ନା ଖାନ୍ କହିଛନ୍ତି।

ତେବେ ଏପରି ଘଟଚପଟ ମଧ୍ୟରେ ବର୍ତ୍ତମାନ ଓଡିଶା ରାଜନୀତି ବେଶ ସରଗରମ ହୋଇ ଉଠିଛି। କର୍ମି ତଥା ନେତାଙ୍କ ମନରେ ଏହି ଆଗୁଆ ନିର୍ବାଚନ ଖବର ବାଉଳା କରିସାରିଲାଣି। ସେମାନେ କଣ କରିବେ, ଦଳ ଟିକେଟ ଦେବ କି ନାହିଁ, କେତେବେଳେ ସଂଗଠନ ହେବ ସେ ନେଇ ସେମାନେ ଚିନ୍ତାରେ ଅଛନ୍ତି।

Share This Article