କାମ ଦେଲାନି ବାପାଙ୍କ ତାଗିଦ୍: ବିଜେଡ଼ି ରେ ମିଶିଲେ ସୁର ରାଉତରାୟଙ୍କ ସାନ ପୁଅ

Odisha Hot News
1 Min Read

ଭୁବନେଶ୍ଵର: ବାପାଙ୍କ ଅନିଚ୍ଛା ଏବଂ ତାଗିଦ୍ ସତ୍ତ୍ୱେ ସାନ ପୁଅ ବିଜେଡ଼ି ରେ ସାମିଲ ହୋଇଛନ୍ତି। କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ଆଜି ବିରାଟ ପଟୁଆରରେ ଆସି ଶଙ୍ଖ ଭବନରେ ବିଜେଡ଼ି ରେ ସାମିଲ ହୋଇଛନ୍ତି। ସେଠାରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି। ତାଙ୍କୁ ବିଜେଡି ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର ସ୍ବାଗତ କରିଛନ୍ତି। ତେବେ ମନ୍ମଥ ବିଜେଡି ଟିକେଟରେ ଜଟଣୀ ଆସନରୁ ଲଢିବା ନେଇ ଚର୍ଚ୍ଚା ହେଉଛି।

ମନ୍ମଥ କହିଛନ୍ତି ଯେ, ନବୀନନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେଡି ରେ ସାମିଲ ହୋଇଛି। ଓଡ଼ିଶାର ଏକ ନମ୍ବର ଦଳ ମୋତେ ଭରସା କରିଥିବାରୁ ମୁଁ ଗର୍ବିତ। ନିର୍ବାଚନ ଲଢିବି କି ନାହିଁ ତାହା ଦଳ ନିଷ୍ପତ୍ତି ନେବେ। ମୁଁ ଶୃଙ୍ଖଳିତ କର୍ମୀ ଭାବେ ବିଜେଡ଼ି ଦଳରେ କାମ କରିବି।

ଉଲ୍ଲେଖ ଯୋଗ୍ୟ ଯେ, ରାଜନୀତିକୁ ଆସିବା ପୂର୍ବରୁ ମନ୍ମଥ ଜଣେ ପାଇଲଟ ଭାବେ କାର୍ଯ୍ଯ କରୁଥିଲେ। ଚାକିରୀରୁ ସ୍ଵେଚ୍ଛାକୃତ ଭାବେ ଅବସର ନେବା ପରେ ରାଜନୀତିରେ ସାମିଲ ହେବାକୁ ସେ ଆଗ୍ରହ ପ୍ରକାଶ କରିଥିଲେ। କିନ୍ତୁ ସେ କେଉଁ ଦଳରେ ସାମିଲ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ଲାଗିରହିଥିଲା। ହେଲେ ସେ ବିଜେଡ଼ିରେ ସାମିଲ ହେବା ପରେ ଏହି କଳ୍ପନାଜଳ୍ପନାର ପୂର୍ଣ୍ଣଚ୍ଛେଦ ପଡିଛି।

ଅନ୍ୟପଟେ ପୁଅ ବିଜେଡିରେ ସାମିଲ ହେଲେ ମନ୍ମଥ କିମ୍ବା ବିଜେଡି ପାଇଁ କେବେ ବି ପ୍ରଚାର କରିବେ ନାହିଁ ବୋଲି ବାପା ତଥା ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି। କଂଗ୍ରେସର ମୋର ଜନ୍ମ, ଏବଂ କଂଗ୍ରେସରେ ହିଁ ମୋର ମୃତ୍ୟୁ ହେବ ବୋଲି ସୁର କହିଛନ୍ତି।

Share This Article