ରାଜ୍ୟର ତୃତୀୟ କରୋନା ସଂକ୍ରମିତ ବଢାଇଦେଲେ ଆଶଙ୍କା : ପରିବାର ସହ ଡ୍ରାଇଭର କ୍ବାରେଣ୍ଟାଇନ୍‌ରେ

Odisha Hot News
1 Min Read

ଭୁବନେଶ୍ୱର : ଓଡ଼ିଶାରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି। ମାର୍ଚ୍ଚ ୭ରେ ସେ ଦିଲ୍ଲୀ ଯାଇଥିଲେ। ସେଠାରେ କିଛି ଦିନ ରହଣୀ କାଳରେ ସେ ହରିୟାଣା ରିଓ୍ବାଡା ଯାଇଥିଲେ। ସେଠାରୁ ଇଣ୍ଡିଗୋ ବିମାନ ‘6E 2014’ ଯୋଗେ ସ୍ତ୍ରୀ ଓ ଝିଅଙ୍କ ସହ ୧୦ ତାରିଖରେ ଭୁବନେଶ୍ୱର ଫେରିଥିଲେ। ମାର୍ଚ୍ଚ ୧୩ ତାରିଖରେ ସମ୍ପୃକ୍ତ ବ୍ୟକ୍ତି ଅସୁସ୍ଥ ଅନୁଭବ କରିଥିଲେ। ମାର୍ଚ୍ଚ ୧୬ରେ ବିଧାନସଭା ଡିସ୍‌ପେନ୍‌ସାରିକୁ ଚିକିତ୍ସା ପାଇଁ ଯାଇଥିଲେ। ଚିକିତ୍ସା ସତ୍ତ୍ୱେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ମାର୍ଚ୍ଚ ୨୧ରେ ସେ କର କ୍ଲିନିକ୍‌ ଯାଇଥିବା ବେଳେ ୨୩ରେ ନିମୋନିଆ ପାଇଁ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ୨୪ରେ ସେଠାରୁ ଡିସ୍‌ଚାର୍ଜ ହେବା ପରେ ୨୫ରେ କ୍ୟାପିଟାଲ ହସ୍‌ପିଟାଲ ଯାଇଥିଲେ। ୨୫ରେ ତାଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା। ଗୁରୁବାର ରାତିରେ ଉକ୍ତ ରିପୋର୍ଟ ପଜିଟିଭ୍‌ ଆସିବା ପରେ ସେ କରୋନାରେ ଆକ୍ରାନ୍ତ ବୋଲି ଜଣାପଡ଼ିଛି ବୋଲି ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ବିସ୍ତୃତ ସୂଚନା ଦେଇ କହିଛନ୍ତି। ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଠାବ କରିବା ପ୍ରକ୍ରିୟା ଜାରି ରହିଛି। ବ୍ୟକ୍ତିଙ୍କ ସ୍ତ୍ରୀ, ଝିଅ ଓ ଡ୍ରାଇଭରଙ୍କୁ ଆଇସୋଲେସନରେ ରଖାଯାଇଛି। କର କ୍ଲିନିକ୍‌ ଓ ବିମାନରେ ଉକ୍ତ ଦିନ ଥିବା ସମସ୍ତେ କ୍ୱାରେଣ୍ଟାଇନ୍‌ରେ ରୁହନ୍ତୁ। ୧୦୪କୁ ଫୋନ କରି ଆବଶ୍ୟକ ପରାମର୍ଶ ନେଇ କ୍ୱାରେଣ୍ଟାଇନ୍‌ରେ ରୁହନ୍ତୁ ବୋଲି ସେ ମଧ୍ୟ କହିଛନ୍ତି।

Share This Article
1 Comment