୧୦୩୮ ଡାକ୍ତରଙ୍କୁ ନିଯୁକ୍ତିପତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Odisha Hot News
1 Min Read

ଭୁବନେଶ୍ବର : ରାଜ୍ୟ ସରକାର ଆଜି ଗୋଟିଏ ଦିନରେ ୧୦୩୮ଜଣ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ଲୋକସେବା ଭବନ କନଭେସନ୍ ସେଣ୍ଟର୍‌ରେ ଅନୁଷ୍ଠିତ ନବନିଯୁକ୍ତ ଡାକ୍ତରଙ୍କ ତାଲିମ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକ୍ତରମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆଜିର ଦିନଟି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ଐତିହାସିକ ଦିନ। ନବନିଯୁକ୍ତ ଡାକ୍ତରମାନେ ଲୋକଙ୍କ ସେବାକୁ ନିଜର ଧର୍ମ ଭାବେ ବିଚାର କରି କାର୍ଯ୍ୟ କରିବା ଉଚିତ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଡାକ୍ତରମାନଙ୍କୁ ‘ମୋ ସରକାର’ ସଂକଳ୍ପ ପାଠ କରାଇଥିଲେ।

ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ପ୍ରମୁଖ ଉଦ୍‌ବୋଧନ ଦେଇ ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମର ସୁଫଳ କିଭଳି ଲୋକମାନଙ୍କ ପାଖରେ ପହଞ୍ଚି ପାରିବ, ସେଥିପାଇଁ ଯତ୍ନବାନ ହେବାକୁ ଡାକ୍ତରଙ୍କୁ ପରାମର୍ଶ ଦେଇଥିଲେ। ‘୫-ଟି’ ସଚିବ ଭି.କେ ପାଣ୍ଡିଆନ୍ ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ସୂଚନା ଦେବା ସହିତ ‘ମୋ ସରକାର’ର ଲକ୍ଷ୍ୟ ଓ ଆଭିମୁଖ୍ୟ ସଂପର୍କରେ ଡାକ୍ତରମାନଙ୍କୁ ବୁଝାଇଥିଲେ।

Share This Article
Leave a Comment