ନିର୍ବାଚନ ସୁପରିଚାଳନା ପାଇଁ ସୁରେନ୍ଦ୍ର କୁମାରଙ୍କୁ ଜାତୀୟ ପୁରସ୍କାର

Odisha Hot News
1 Min Read

ଭୁବନେଶ୍ବର : ୨୦୧୯ ସାଧାରଣ ନିର୍ବାଚନ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପ୍ରଦର୍ଶନ ପାଇଁ ଓଡ଼ିଶାର ତତ୍କାଳୀନ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ବର୍ତମାନର ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କୁ ଭାରତୀୟ ନିର୍ବାଚନ କମିସନ ଜାତୀୟ ପୁରସ୍କାର ଦେବାକୁ ଚୟନ କରିଛନ୍ତି। ଆସନ୍ତାକାଲି ଜାତୀୟ ଭୋଟର ଦିବସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ କୁମାରଙ୍କୁ ପୁରସ୍କୃତ କରିବେ। ପୁରସ୍କାର ସ୍ବରୁପ ମାନପତ୍ର ସହ ନଗଦ ଅର୍ଥ ପ୍ରଦାନ କରାଯିବ। ପୁରସ୍କାର ଗ୍ରହଣ କରିବାକୁ ଶ୍ରୀ କୁମାର ଆଜି ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ରାଜ୍ୟ ସ୍ତରରେ ସାଧାରଣ ନିର୍ବାଚନ ସୁପରିଚାଳନା ପାଇଁ ଶ୍ରୀ କୁମାରଙ୍କ ସମେତ ପଞ୍ଜାବ ସିଇଓ ଏସ୍‌. କରୁଣା ରାଜା ଓ ଆନ୍ଧ୍ରପ୍ରଦେଶ ସିଇଓ ଗୋପାଳ କୃଷ୍ଣ ଦ୍ବିବେଦୀଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯିବ। ସେହିପରି ୫ଟି ବର୍ଗରେ ମୋଟ ୨୦ ଜଣଙ୍କୁ ପୁରସ୍କୃତ କରିବା ପାଇଁ ନିର୍ବାଚନ କମିସନ ଘୋଷଣା କରିଛନ୍ତି।

୧୯୯୩ ବ୍ୟାଚ୍‌ ଆଇଏଏସ୍‌ ଅଫିସର ସୁରେନ୍ଦ୍ର କୁମାର ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ୨୦୧୮ ଫେବ୍ରୁଆରିରେ ଯୋଗଦେଇଥିଲେ। ସିଇଓ ଭାବେ ଯୋଗଦେବା ପରେ ତାଙ୍କୁ ବିଜେପୁର ଉପନିର୍ବାଚନ ୨୦୧୮ ପରିଚାଳନା କରିବାର ସୁଯୋଗ ମିଳିଥିଲା। ଓଡ଼ିଶାରେ ଏକାସାଙ୍ଗରେ ସାଧାରଣ ନିର୍ବାଚନ ସହିତ ବିଧାନସଭା ନିର୍ବାଚନକୁ ୪ଟି ପର୍ଯ୍ୟାୟରେ କରିବାକୁ ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ଧାର୍ଯ୍ୟ କରିବା ପରେ ଶ୍ରୀ କୁମାର ଏହାକୁ ଦକ୍ଷତାର ସହ ପରିଚାଳନା କରିବାରେ ସକ୍ଷମ ହୋଇଥିଲେ। ସମଗ୍ର ରାଜ୍ୟରେ ସଠିକ୍‌ ଭୋଟର ତାଲିକା ପ୍ରସ୍ତୁତି, ନିର୍ବାଚନ ଅଧିକାରୀଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ, ସୁରକ୍ଷା ବନ୍ଦୋବସ୍ତ, ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ସହିତ ଉତ୍ତମ ତାଳମେଳ ରଖି ରାଜ୍ୟରେ ଇଭିଏମ୍‌-ଭିଭିପାଟ୍ ମେସିନ୍‌ ଦ୍ବାରା ନିର୍ବାଚନ ପରିଚାଳନା କରାଇବାରେ ସଫଳତା ପାଇଁ ଜାତୀୟ ସ୍ତରରେ ସେ ପ୍ରଶଂସିତ ହୋଇଛନ୍ତି।

Share This Article
Leave a Comment