ମାର୍କେଟ୍‌ ବିଲ୍ଡିଂ ଯୁବକଙ୍କ ଆତଙ୍କ ଘଟଣା : ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ଦଙ୍ଗା ଭଳି ସାଂଘାତିକ ଦଫା

Odisha Hot News
1 Min Read

ଭୁବନେଶ୍ୱର : ସ୍ଥାନୀୟ ୟୁନିଟ-୨ ମାର୍କେଟ ବିଲ୍ଡିଂ ଆତଙ୍କରାଜ ଘଟଣାରେ ୩୦ରୁ ଊର୍ଦ୍ଧ୍ୱ ସାମିଲ ଥିବା ବେଳେ ୨୧ଜଣ ଚିହ୍ନଟ ହୋଇଛନ୍ତି। ପୋଲିସ ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୧୨ ନାବାଳକ ଓ ୬ଜଣ ସାବାଳକ। ସେମାନେ ସମସ୍ତେ ଭୁବନେଶ୍ୱରର ବୋଲି ଜଣାପଡ଼ିଛି। ସେମାନଙ୍କ ବିରୋଧରେ ସର୍ବସାଧାରଣରେ ହିଂସା, ଆଇନଶୃଙ୍ଖଳା ଭଙ୍ଗ ଭଳି ଦଫା ଲଗାଯାଇଛି। ତେବେ ଅନ୍ୟ ୩ ମୁଖ୍ୟ ଅଭିଯୁକ୍ତ ଚିଣ୍ଟୁ, ଗୋପୀ, ପ୍ରୀତମ୍‌ ଏବେ ବି ଫେରାର ଅଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶନିବାର ଏକ ଖବରଦାତା ସମ୍ମିଳନୀରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।

ପ୍ରକାଶଯୋଗ୍ୟ, ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ୩୦ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ ମୁହଁରେ କଳାକନା ପିନ୍ଧି ଖଣ୍ଡା, ଭୁଜାଲି, ଠେଙ୍ଗା ଧରି ମାର୍କେଟ ବିଲ୍ଡିଂ ଭିତରକୁ ପଶି ଆସିଥିଲେ। କେହି କିଛି ବୁଝିବା ପୂର୍ବରୁ ସେମାନେ ଅତର୍କିତ ଆକ୍ରମଣ କରି ୩୦ରୁ ଊର୍ଦ୍ଧ୍ୱ ଦୋକାନ ଭାଙ୍ଗି ଚୂରମାର କରିଦେଇଥିଲେ। ପ୍ରାୟ ୧୦ ମିନିଟ ଧରି ଆତଙ୍କ ଖେଳାଇ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ କରିଥିଲେ। ଏଥିରେ ୨ଜଣ ଦୋକାନୀ ଗୁରୁତର ହୋଇଥିଲେ। ମାତ୍ର ଆକ୍ରମଣର ଶିକାର ୨ ଦୋକାନୀ ଆକ୍ରମଣକାରୀଙ୍କ ସହ ଲଢ଼ି ୨ଜଣଙ୍କୁ କାବୁ କରିନେଇଥିଲେ। ସେମାନଙ୍କୁ ପୋଲିସ ଜିମା ଦିଆଯାଇଥିଲା। ତେବେ ଗୁରୁବାର ଜଣେ ଯୁବତୀଙ୍କ ସହ ଏକ ଦୋକାନୀଙ୍କ ଜିନିଷ କିଣା ମୂଲଚାଲକୁ ନେଇ ସୃଷ୍ଟ ବଚସା ଓ ମାରପିଟ୍‌ରୁ ଶୁକ୍ରବାର ଏଭଳି ହିଂସାକାଣ୍ଡ ଘଟିଥିବା ଡିସିପି ଅନୁପ କୁମାର ସାହୁ କହିଥିଲେ।

Share This Article
Leave a Comment