ଭାରତ-ଶ୍ରୀଲଙ୍କା ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍ ଆଜି

Odisha Hot News
1 Min Read

ଗୁଆହାଟୀ: ୨୦୨୦ରେ ପ୍ରଥମଥର ପାଇଁ କ୍ରିକେଟ ପଡ଼ିଆକୁ ରବିବାର ଓହ୍ଲାଇବ ଭାରତୀୟ ଦଳ। ଏହିଠାରୁ ହିଁ ଚଳିତବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍ ଲାଗି ଭାରତୀୟ ଦଳର ପ୍ରସ୍ତୁତି ଆରମ୍ଭ ହେବ। ରବିବାର ସ୍ଥାନୀୟ ବର୍ଷାପଡ଼ା ଷ୍ଟାଡିୟମ୍‌ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍‌ରେ ସମସ୍ତଙ୍କ ଦୃଷ୍ଟି ରହିବ ଫାଷ୍ଟ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ଉପରେ। ଦୀର୍ଘଦିନ ପରେ ବୁମ୍‌ରା ଦଳକୁ ଫେରିଛନ୍ତି। ୨୦୧୯ରେ ଭାରତୀୟ ଦଳ ୫୦ ଓଭରର ମ୍ୟାଚ୍‌ରେ ଦୃଷ୍ଟି ନିବଦ୍ଧ କରିଥିବା ବେଳେ ୨୦୨୦ ହେବ ଟ୍ବେଣ୍ଟି୨୦ ମ୍ୟାଚ୍‌ର ବର୍ଷ। ଅକ୍ଟୋବରରେ ପର୍ଥରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍ ଖେଳିବା ପୂର୍ବରୁ ଭାରତ ପ୍ରାୟ ୧୫ଟି ଆନ୍ତର୍ଜାତିକ ମ୍ୟାଚ୍ ଖେଳି ସାରିଥିବ। ଏହାର ପ୍ରଥମ ମ୍ୟାଚ୍ ରବିବାର ଖେଳିବାକୁ ଯାଉଛି ବିରାଟ ସେନା। ଶ୍ରୀଲଙ୍କା ସେପରି ଶକ୍ତିଶାଳୀ ଦଳ ହୋଇନଥିଲେ ହେଁ ଟ୍ବେଣ୍ଟି୨୦ କ୍ରିକେଟ୍‌ରେ କୌଣସି ଦଳକୁ ଦୁର୍ବଳ ମଣିବା ବିପଜ୍ଜନକ ହୋଇପାରେ।

ଗତ କିଛି ସପ୍ତାହ ଗୁଆହାଟୀ ଅଶାନ୍ତ ରହିଥିଲା। ନାଗରିକତ୍ବ ସଂଶୋଧନ ଆଇନ୍ (ସିଏଏ)କୁ ବିରୋଧକରି ଗୁଆହାଟୀରେ ବ୍ୟାପକ ପ୍ରତିବାଦ ଓ ହିଂସାକାଣ୍ଡ ଚାଲିଥିବା ବେଳେ ସବୁକିଛି ଶାନ୍ତ ପଡ଼ିଯାଇଛି। ପୂରା ସହରରେ ଏବେ କ୍ରିକେଟ ଫିଭର। ଭାରତୀୟ ଟ୍ବେଣ୍ଟି୨୦ ଦଳର ୩ ପ୍ରମୁଖ ପେସ୍ ବୋଲର ମହମ୍ମଦ ସାମି, ଦୀପକ ଚହର ଓ ଭୁବନେଶ୍ବର କୁମାରଙ୍କ ଅନୁପସ୍ଥିତି ​‌ଏବେ ନବଦୀପ ସୈନି ଓ ସାର୍ଦ୍ଦୁଳ ଠାକୁରଙ୍କ ପରି ଯୁବ ବୋଲରଙ୍କୁ ସୁଯୋଗ ଦେଇଛି। ଯଶପ୍ରୀତ୍ ବୁମ୍‌ରାଙ୍କ ସହ ଏହି ୨ ବୋଲରଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ। ହାର୍ଦିକ ପାଣ୍ଡ୍ୟା ସମ୍ପୂର୍ଣ୍ଣ ଫିଟ୍‌ ହୋଇନଥିବାରୁ ଶିବମ୍ ଦୁବେ ପୁଣି ଖେଳିବାର ସୁଯୋଗ ପାଇବେ। ହାର୍ଦିକ ଦଳକୁ ଫେରିବା ପୂର୍ବରୁ ସେ ତାଙ୍କ ପ୍ରତିଭା ପ୍ରଦର୍ଶନ କରି ଟ୍ବେଣ୍ଟି୨୦ ଦଳରେ ସ୍ଥାନ ନିଶ୍ଚିତ କରିବାକୁ ଚାହିଁବେ।

Share This Article
Leave a comment