ନୂଆଦିଲ୍ଲୀ: ଭାରତୀୟଙ୍କ ମଧ୍ୟରେ ଇଲେକ୍ଟ୍ରିକ୍ ଗାଡ଼ିର (ଇଭି) ଗ୍ରହଣୀୟତା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପେଟ୍ରୋଲ ଓ ଡିଜେଲ୍ ଚାଳିତ ଗାଡ଼ି ତୁଳନାରେ ଗ୍ରାହକମାନଙ୍କ ଏକ ବଡ଼ ଭାଗ ଇଭି ଆଡ଼କୁ ଢଳିଛନ୍ତି। ଚଳିତ ବର୍ଷ ଅକ୍ଟୋବରର ଦେଶରେ ୨୦ ଲକ୍ଷରୁ ଅଧିକ ଗାଡ଼ି ବିକ୍ରି ହୋଇଛି। ସେଥିରୁ ୧ ଲକ୍ଷ ୧୨ ହଜାର ହେଉଛି ଇଲେକ୍ଟ୍ରିକ ଗାଡ଼ି। ଗତବର୍ଷ ଏହି ମାସରେ ଇଭି ବିକ୍ରି ସଂଖ୍ୟା ୪୦ ହଜାରରୁ କମ୍ ଥିଲା। ବର୍ଷକ ଭିତରେ ବିକ୍ରିରେ ତିନି ଗୁଣା ବୃଦ୍ଧି ଘଟିଛି। ଇଭି ଲୋକମାନଙ୍କ ଦ୍ବାରା ଗ୍ରହରୀୟ ହେଉଥିବା ଏହି ତଥ୍ୟ ଏକ ବଳିଷ୍ଠ ପ୍ରମାଣ ବୋଲି କୁହାଯାଇଛି।
ଅଟୋମୋବାଇଲ୍ ଡିଲରମାନଙ୍କ ସଂଘ ଫାଡା ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ ଚଳିତ ବର୍ଷ ଅକ୍ଟୋବରରେ ୭୩,୧୬୯ଟି ଦୁଇଚକିଆ ଇଭି, ୩,୭୪୫ଟି ଇଭି କାର୍, ୨୬୪ଟି ଇଭି ବସ୍/ଟ୍ରକ୍ ଏବଂ ୩୪,୭୯୩ଟି ଇଭି ତିନିଚକିଆ ଯାନ ବିକ୍ରି ହୋଇଛି। ୨୦୨୧ ଅକ୍ଟୋବରରେ ଏହି ଚାରିଟି ବର୍ଗରେ ଇଭି ବିକ୍ରି ହାତଗଣତି ଥିଲା। ୨୦୨୧ ଅକ୍ଟୋବରରେ ୧୯,୮୨୬ଟି ଇଭି ଦୁଇଚକିଆ, ୧,୩୪୬ଟି ଇଭି କାର୍, ୧୧୭ଟି ଇଭି ବସ୍/ ଟ୍ରକ୍ ଏବଂ ୧୮,୦୪୦ଟି ଇଭି ତିନିଚକିଆ ବିକ୍ରି ହୋଇଥିଲା।କିଛି ମାସ ପୂର୍ବରୁ ତିନିଚକିଆ ବର୍ଗରେ ସର୍ବାଧିକ ଇଭି ବିକ୍ରି ହେଉଥିଲା। ମାତ୍ର ପ୍ରତିଷ୍ଠିତି କଂପାନି ନୂଆ ନୂଆ ମଡେଲ୍ ଆଣିବା, ଚାର୍ଜିଂ ଭିତ୍ତିଭୂମିରେ ଉନ୍ନତି, ଗ୍ରାହକମାନଙ୍କ ମଧ୍ୟରେ ବିଶ୍ବାସରେ ବୃଦ୍ଧି ହୋଇଥିବା କାରଣରୁ ଦୁଇ ଚକିଆ ଇଭି ଅଧିକ ବିକ୍ରି ହେଉଛି। ଚଳିତ ବର୍ଷ ଅକ୍ଟୋବରରେ ବିକ୍ରି ହୋଇଥିବା ମୋଟ ଇଭି ମଧ୍ୟରୁ ୬୯ ପ୍ରତିଶତ ହେଉଛି ଇଲେକ୍ଟ୍ରିକ୍ ସ୍କୁଟର ଓ ବାଇକ୍। ଲୋକମାେନ ଇଲେକ୍ଟ୍ରିକ୍ ସ୍କୁଟର କିଣିବାକୁ ଅଧିକ ପସନ୍ଦ କରୁଥିବା ଜଣାପଡ଼ିଛି।
Comment