୩ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଭେଟି

Odisha Hot News
1 Min Read

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ମେଡିକାଲ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବାର ମାତ୍ର ୧୦ ଦିନ ମଧ୍ୟରେ ସମୀକ୍ଷା କରିବା ପରେ ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ମାଲକାନଗିରି, କୋରାପୁଟ ଓ  ନବରଙ୍ଗପୁର ମେଡିକାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବା ସହିତ ନିମ୍ନୋଲିଖିତ ସୁବିଧା ପାଇଁ ଯୋଜନା କରାଯାଇଛି ।

ମାଲକାନଗିରି ଜିଲ୍ଲା ହସ୍‌ପିଟାଲ୍‌ରେ ଡାକ୍ତରଙ୍କ ରହଣି ବ୍ୟବସ୍ଥା ସହିତ ଟ୍ରାନ୍‌ଜିଟ୍‌ ହୋମ ନିର୍ମାଣ ହେବ। ଏଥସହିତ ହସ୍‌ପିଟାଲରେ ଶଯ୍ୟା ସଂଖ୍ୟା ୨୦୦କୁ ବୃଦ୍ଧି କରାଯିବ। କେବଳ ଏତିକି ନୁହେଁ, ମାଲକାନଗିରିରୁ ମୋଟୁକୁ ବସ ଚଳାଚଳ ସୁବିଧା ବି ଯୋଗାଇ ଦିଆଯିବ।

ସେହିପରି ନବରଙ୍ଗପୁର ଜିଲ୍ଲା ମେଡିକାଲରେ ଶଯ୍ୟା ସଂଖ୍ୟା ୨୦୦କୁ ବୃଦ୍ଧି କରିବା ସହିତ ନୂଆ ମେଡିକାଲ କୋଠା, ରୋଗୀଙ୍କ ସହିତ ଆସିଥିବା ଆଟେଣ୍ଡାଣ୍ଟଙ୍କ ପାଇଁ ବିଶ୍ରାମଗୃହ ଆଦି ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି। ଏଥିସହିତ ମେଡିକାଲ ପାଇଁ ୩ଟି ଆମ୍ବୁଲାନ୍ସ ଓ ୩ଟି ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯିବ।

ଏଥି ସହିତ, କୋରାପୁଟ ମେଡିକାଲ କଲେଜରେ ଆସନ୍ତା ୨ବର୍ଷ ଭିତରେ ଶଯ୍ୟା ସଂଖ୍ୟା ୭୦୦କୁ ବୃଦ୍ଧି କରାଯିବ ବୋଲି ଯୋଜନା ରଖାଯାଇଛି। ରୋଗୀଙ୍କ ସହିତ ଆସିଥିବା ଆଟେଣ୍ଡେଣ୍ଟଙ୍କ ପାଇଁ ବିଶ୍ରାମ ଗୃହ, ଷ୍ଟାଫ୍‌ କ୍ୱାଟର ଟ୍ରାନ୍‌ଜିଟ୍‌ ହୋମ ଆଦି ନିର୍ମାଣ କରାଯିବ।

ସେହିପରି କୋରାପୁଟ ଜିଲ୍ଲା ହସ୍‌ପିଟାଲରେ ଶଯ୍ୟା ସଂଖ୍ୟା ୨୫୦କୁ ବୃଦ୍ଧି କରାଯିବ ସହିତ ଷ୍ଟାଫ୍‌ କ୍ୱାଟର, ଆଟେଣ୍ଡେଣ୍ଟଙ୍କ ପାଇଁ ବିଶ୍ରାମ ଗୃହ ଓ ଦୁଇଟି ଆମ୍ବୁଲାନ୍ସ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Share This Article
Leave a Comment