ସ୍ବାଧୀନତା ଦିବସକୁ ନକ୍ସଲଙ୍କ ବିରୋଧ

Odisha Hot News
1 Min Read

ମାଲକାନଗିରି : ସ୍ବାଧୀନତା ଦିବସ ପାଳନକୁ ବିରୋଧ କରିଛନ୍ତି ନକ୍ସଲ। କଳାଦିବସ ରୂପେ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି। ଏଥିପାଇଁ ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳ ସମେତ ସୀମାନ୍ତ ଛତିଶଗଡ, ଆନ୍ଧ୍ର ଏବଂ ତେଲେଙ୍ଗାନାର ଦୁର୍ଗମ ଅଞ୍ଚଳରେ ନକ୍ସଲ ବ୍ୟାନର ମାରିଛନ୍ତି।

ସ୍ବାଧୀନତା ଦିବସ ପୂର୍ବରୁ ପୁଣି ସକ୍ରିୟ ହୋଇଛନ୍ତି ନକ୍ସଲ। ସୀମାନ୍ତ ଛତିଶଗଡ଼ର ଦାନ୍ତେଵାଡା ଏବଂ ନାରାୟଣପୁର ଜିଲ୍ଲାରେ ହିଂସାକାଣ୍ଡ ଘଟାଇଥିବା ଖବର ମିଳିଛି। ନାରାୟଣପୁର ଜିଲ୍ଲାର ଓରଛା ମାର୍ଗରେ ସିରିଜ୍‌ ବୋମା ବିସ୍ଫୋରଣ କରିଛନ୍ତି। ଏଥିସହ ରାସ୍ତାରେ ଗଛ କାଟି ରାସ୍ତା ଅବରୋଧ କରିଛନ୍ତି। ପୁଲିସ‌ ଯେପରି ଏହି ଅଂଚଳରେ ପଶି ନ ପାରନ୍ତି ସେଥିପାଇଁ ଚାରିଆଡୁ ଗଛ କଟା ଯାଇଥିବା ଜଣାପଡିଛି।

ଅନ୍ୟପକ୍ଷରେ, ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ମଧ୍ୟ ନକ୍ସଲ ସକ୍ରିୟ ହୋଇଥିବା ଖବର ମିଳିଛି। ମାଓ ନେତା ସୁଧୀର ଆତ୍ମସମର୍ପଣ କରିବା ପରେ ପ୍ରାୟତଃ ଏହି ଅଂଚଳରେ କୌଣସି ମାଓ ହିଂସା ଦେଖିବାକୁ ମିଳିନଥିଲା। ମାଓ ହିଂସା କମିଥିବାରୁ ମାଓବାଦୀ ଏଠାରୁ ଚାଲି ଯାଇଥିବା କୁହାଯାଇଥିଲା। କିନ୍ତୁ ମଝିରେ ମଝିରେ ପ୍ରଜାମେଳି, ପ୍ରଜାକୋର୍ଟ ସହିତ ବ୍ୟାନର୍‌, ପୋଷ୍ଟର୍‌ ମାରି ନକ୍ସଲମାନେ ନିଜର ଉପସ୍ଥିତି ଜାହିର୍‌ କରି ଆସୁଛନ୍ତି।

ଅନ୍ୟପକ୍ଷରେ, ନକ୍ସଲଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ପୁଲିସ ମଧ୍ୟ ସତର୍କତା ଅବଲମ୍ବନ କରିଛି। ସ୍ବାଧୀନତା ଦିବସରେ ନକ୍ସଲ ହିଂସାକାଣ୍ଡ ଘଟାଇବାର ସମ୍ଭାବନା ରହିଥିବାରୁ ଜିଲ୍ଲାର ସୀମାକୁ ସିଲ୍‌ କରାଯାଇଛି। କମ୍ବିଂ ଅପରେସନ୍‌ ଜୋର୍‌ଦାର୍‌ କରାଯାଇଛି। ନକ୍ସଲ ଯେମିତି କଳା ପତାକା ଉଡ଼ାଇ ପାରିବେ ନାହିଁ ସେଥିପାଇଁ ଆଗକୁ ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ନକ୍ସଲ ଏବେ ଓଡ଼ିଶା ମୁହାଁ ହୋଇଥିବାରୁ ମାଲକାନଗିରି ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ଏସଓଜି, ଡିଭିଏଫ୍‌ ସହ ବିଏସ୍‌ଏଫ୍‌ ଯବାନ ସର୍ଚ୍ଚ ଅପରେସନ ଜାରି ରଖିଥିବା ଜଣାପଡ଼ିଛି।

Share This Article
Leave a Comment