୪ର୍ଥ ପର୍ଯ୍ୟାୟ ନିର୍ବାଚନ : ବଦଳିପାରେ ସମୀକରଣ

Odisha Hot News
4 Min Read

ଭୁବନେଶ୍ୱର, ୨୫।୪(ବ୍ୟୁରୋ):

ଆସନ୍ତା ୨୯ ତାରିଖରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟର ୩ପ୍ରମୁଖ ଦଳ ପକ୍ଷରୁ ପ୍ରଚାର ମଧ୍ୟ ଜୋରଦାର କରାଯାଇଛି। ଏହି ପର୍ଯ୍ୟାୟରେ ମଧ୍ୟ ବହୁ ହେଭିଓ୍ବେଟ୍‌ ସେମାନଙ୍କ ଭାଗ୍ୟ ପରୀକ୍ଷା କରିବେ। ଅନ୍ୟପଟେ ଶେଷ ପର୍ଯ୍ୟାୟ ପାଇଁ ପ୍ରଚାର ବିଗତ ଦିନଗୁଡ଼ିକୁ ଅତିକ୍ରମ କରିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ୪ର୍ଥ ପର୍ଯ୍ୟାୟରେ ୬ ଲୋକ ସଭା ଏବଂ ଏହାର ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ମତଦାନ ହେବାର ଥିଲା। ମାତ୍ର କେନ୍ଦ୍ରାପଡା ଲୋକ ସଭା ଆସନ ଅନ୍ତର୍ଗତ ପାଟକୁରା ବିଧାନସଭା ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ ହୋଇହୋଇଯିବାରୁ ଏହି ଆସନରେ ଆସନ୍ତା ୧୯ରେ ମତଦାନ ହେବ। ଏହି ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଲୋକ ସଭା ଆସନ ପାଇଁ ଭୋଟ୍‌ ହେବ। ୨୦୧୪ ସାଧାରଣ ନିର୍ବାଚନରେ ଏହି ସମସ୍ତ ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ହେଲେ ଏଥର ସେହି ଧାରାକୁ ବିଜେଡି କେତେଦୂର ସମ୍ଭାଳି ରଖିପାରିବ ସେନେଇ ରାଜନୈତିକ ମହଲରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଲୋକମାନଙ୍କ ମୁହଁରୁ ଲୋକ ସଭା କ୍ଷେତ୍ରରେ ଭାଜପା ପ୍ରାର୍ଥୀଙ୍କ ପ୍ରତି ଅଧିକ ସମର୍ଥନ ଦେଖି ବିଜେଡି କିଛିଟା କ୍ଷତି ହେବା ନିଶ୍ଚିତ ବୋଲି ଶୁଣିବାକୁ ମିଳୁଛି। ନିକଟରେ ଧରିତ୍ରୀ ପକ୍ଷରୁ ବହୁ ଆସନରେ ବିଜେଡି, ଭାଜପା ଓ କଂଗ୍ରେସ ସ୍ଥିତି କିପରି ରହିଛି ସେନେଇ ଲୋକମାନଙ୍କ ମତାମତ ନିଆଯାଇଥିଲା। ପଶ୍ଚିମ ଓଡିଶା ଠାରୁ ଆରମ୍ଭ କରି ଦକ୍ଷିଣ ଓଡିଶା ଏବଂ ଉପକୂଳ ଅଞ୍ଚଳ ଲୋକଙ୍କ ସହ ଆଲୋଚନା କରାଯାଇଥିଲା। ଏହି ସମୟରେ ଆମେ ଭେଟିଥିବା ବଲାଙ୍ଗୀରର ଭୁବନ ଭୋଇ, ଅଙ୍କରିଆ ପଦରର ଧରିତ୍ରୀ ବାଗ୍‌, ସୁଶାନ୍ତ ସେସୁଓ୍ବା ପ୍ରମୁଖ ବିଜେଡି ଲୋକମାନଙ୍କ ନିକଟରେ ଠିକ୍‌ ଭାବେ ଯୋଜନା ପହଞ୍ଚାଇ ପାରି ନ ଥିବା କହିଥିଲେ। ସେହିପରି ଦକ୍ଷିଣ ଓଡିଶାର ଆସିକା ନିର୍ବାଚନମଣ୍ଡଳୀର ସୁକାନ୍ତ ପାତ୍ର, ପ୍ରଶାନ୍ତ ପୃଷ୍ଟି ପ୍ରମୁଖଙ୍କ ସହ ଆଲୋଚନା ସମୟରେ ମଧ୍ୟ ସେମାନେ ପରିବର୍ତ୍ତନ କଥାକୁ ଅଧିକ ଗୁରୁତ୍ୱ ଦେବା ସହ ଶାସକ ବିଜେଡିକୁ ସମାଲୋଚନା କରିଥିଲେ। ସେହିପରି ଉପକୂଳର ବହୁ ଲୋକମାନଙ୍କ ସହ ମଧ୍ୟ ଆଲୋଚନା ବେଳେ ସମସ୍ତେ ଏଥର ରାଜ୍ୟରେ ପରିବର୍ତ୍ତନ ଦରକାର ବୋଲି ମତ ରଖିଥିଲେ। ତେଣୁ ଏଥର ଭାଜପା ପ୍ରତି ଲୋକମାନେ ଅଧିକ ଆକୃଷ୍ଟ ହୋଇଥିବା ଏକ ପ୍ରକାର ସ୍ପଷ୍ଟ ସୂଚନା ମିଳୁଛି।

କେନ୍ଦ୍ରାପଡା ଲୋକ ସଭା ଆସନ ଉପରେ ରାଜ୍ୟବାସୀଙ୍କ ବିଶେଷ ନଜର ରହିଛି। ଏହି ଆସନରେ ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେଡି ଛାଡିବା ପରେ ବୈଜୟନ୍ତ ଭାଜପାରେ ଯୋଗଦେଇ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପଟେ ଦଳ ଛାଡି ବୈଜୟନ୍ତ ଶାସକ ଦଳ ବିରୋଧରେ ପ୍ରଚାର ମଧ୍ୟ ଜୋର୍‌ଦାର କରିଛନ୍ତି। ତେଣୁ ବୈଜୟନ୍ତଙ୍କୁ ରୋକିବା ଏଥର ନିର୍ବାଚନରେ ବିଜେଡିର ମୁଖ୍ୟ କାର୍ଯ୍ୟ। ଏହି ଆସନରେ ଶାସକ ଦଳ ରାଜ୍ୟ ସଭା ଏମ୍‌ପି ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ତେଣୁ ଏହି ଆସନରେ ବିଜେଡି ଓ ଭାଜପା ମଧ୍ୟରେ ସବୁଠାରୁ ବଡ ପ୍ରତିଯୋଗିତା ହେବ ବୋଲି ଚର୍ଚ୍ଚା ଚାଲିଛି। ବାଲେଶ୍ୱର ଆସନରେ କିନ୍ତୁ ତ୍ରିମୁଖୀ ଲଢ଼େଇ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ଆସନରେ ବିଜେଡି ରବୀନ୍ଦ୍ର ଜେନା, ଭାଜପା ପ୍ରତାପ ଷଡଙ୍ଗୀ ଏବଂ କଂଗ୍ରେସରୁ ପିସିସି ସଭାପତିଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଠାରେ ୩ ରାଜନୈତିକ ଦଳ ଭିତରେ କଡା ପ୍ରତିଯୋଗିତା ଚାଲିଥିବା ଶୁଣାଯାଉଛି। ସେହିପରି ଜଗତ୍‌ସିଂହପୁର ଆସନରେ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ଓ ଭାଜପା ପ୍ରାର୍ଥୀ ବିଭୁପ୍ରସାଦ ତରାଇଙ୍କ ଭିତରେ ଦ୍ୱିମୁଖୀ ଲଢ଼େଇ ହେବା ନେଇ ଚର୍ଚ୍ଚା ହେଉଛି। ମୟୂରଭଞ୍ଜ ଆସନରେ କିନ୍ତୁ ତ୍ରିମୁଖୀ ଲଢ଼େଇ ଆଶଙ୍କା କରାଯାଉଛି। ଏହି ଆସନରେ ବିଜେଡି ଦେବାଶିଷ ମାରାଣ୍ଡି, ଭାଜପାରୁ ବିଶ୍ୱେଶ୍ୱର ଟୁଡୁ ଏବଂ କଂଗ୍ରେସ-ଜେଏମ୍‌ଏମ୍‌ ମିଳିତ ଭାବେ ଅଞ୍ଜନୀ ସୋରେନ୍‌ଙ୍କୁ ପ୍ରାର୍ଥୀ କରିଛି। ଏଠାରେ ୩ ପ୍ରାର୍ଥୀଙ୍କ ମଧ୍ୟ କଡା ମୁକାବିଲା ଚାଲିଛି। ସେହିପରି ଭଦ୍ରକ ଆସନରେ ବିଜେଡିର ମଞ୍ଜୁଲତା ମଣ୍ଡଳ, ଭାଜପାରୁ ଅଭିମନ୍ୟୁ ସେଠୀ ଏବଂ କଂଗ୍ରେସରୁ ମଧୁମିତା ସେଠୀ ପ୍ରାର୍ଥୀ ହୋଇଛନ୍ତି। ଏହି ଆସନରେ ମଧ୍ୟ ବିଜେଡି ଓ ଭାଜପା ମଧ୍ୟରେ କଡା ପ୍ରତିଯୋଗିତା ଚାଲିଛି। ଯାଜପୁରରେ ବିଜେଡିରୁ ଶର୍ମିଷ୍ଠା ସେଠୀ, ଭାଜପାରୁ ଅମୀୟ ଜେନା ଏବଂ କଂଗ୍ରେସରୁ ମାନସ ଜେନା ପ୍ରାର୍ଥୀ ହୋଇଛନ୍ତି। ଏଠାରେ ମଧ୍ୟ ଦ୍ୱିମୁଖୀ ଲଢ଼େଇ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ସେହିପରି ନିର୍ବାଚନ ହେବାକୁ ଥିବା ୪୨ ବିଧାନସଭା ଆସନ ମଧ୍ୟରୁ ୨୦୧୪ରେ ବିଜେଡିକୁ ଅଧିକ ସଫଳତା ମିଳିଥିଲା। ନିର୍ବାଚନ ହେବାକୁ ଥିବା ରେମୁଣାରେ ଗତଥର ଭାଜପା ଏବଂ ସାଲେପୁର, ଆଳି, ରାଜନଗର ଓ ଜଗତସିଂହପୁର ଆସନ କଂଗ୍ରେସ ହାତରେ ରହିଥିଲା। ବାକି ସମସ୍ତ ୩୨ ଆସନରେ ବିଜେଡି ପ୍ରାର୍ଥୀ ବାଜିମାତ୍‌ କରିଥିଲେ। ତେବେ ଏହି ଧାରା କେତେ ମାତ୍ରାରେ ବିଜେଡି ବଜାୟ ରଖିପାରିବ ତାହା ମଧ୍ୟ ଦେଖିବା ଯୋଗ୍ୟ। ଅନ୍ୟପଟେ ଏଥର ବିଜେଡିର ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସଚୀ ନାୟକ, ପ୍ରତାପ ଦେବ, ଶଶୀଭୂଷଣ ବେହେରା, ପ୍ରତାପ ଜେନା, ଦେବାଶିଷ ସାମନ୍ତରାୟ ପ୍ରମୁଖ ଶେଷ ପର୍ଯ୍ୟାୟରେ ନିଜ ଭାଗ୍ୟ ପରୀକ୍ଷା କରିବେ। ସେହିପରି କଂଗ୍ରେସରୁ ବିଧାୟକ ହୋଇ ନିକଟରେ ଭାଜପାରେ ମିଶା ପ୍ରାର୍ଥୀ ହୋଇଥିବା ପ୍ରକାଶ ବେହେରା, ଦାମୋଦର ରାଉତ, ପ୍ରଭାତୀ ପରିଡା, ଗୋବିନ୍ଦ ଚନ୍ଦ୍ର ଦାସ ଏବଂ କଂଗ୍ରେସର ଅଂଶୁମାନ ମହାନ୍ତି, ଦେବେନ୍ଦ୍ର ଶର୍ମା, ଚିରଞ୍ଜୀବ ବିଶ୍ୱାଳ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଗଣେଶ୍ୱର ବେହେରା ପ୍ରମୁଖ ଏଥର ଦୌଡରେ ରହିଛନ୍ତି। ଏମାନଙ୍କ ମଧ୍ୟରୁ କେଉଁସବୁ ହେଭିଓ୍ବେଟ୍‌ ଦୌଡରେ ଉତ୍ତୀର୍ଣ୍ଣ ହୋଇ ନିଜ ସ୍ଥିତି ରକ୍ଷା କରିପାରୁଛନ୍ତି ତା’ଉପରେ ନଜର ରହିବ।

Share This Article
Leave a Comment