ଭଦ୍ରକ: ଟାଟା ପାୱାରା ବିଦ୍ୟୁତ ଯୋଗାଣ ଦାୟିତ୍ୱ ନେଇ ଏହାର ପରିଚାଳନା ଭାର କେତେକ ଏଜେନ୍ସି ହାତକୁ ଟେକି ଦେଇଛି । ସେହି ଏଜେନ୍ସିର କର୍ତ୍ତୃପକ୍ଷଙ୍କ ମନମୁଖୀ ଶାସନର ପ୍ରତିବାଦ କରିଛନ୍ତି କାର୍ଯ୍ୟରତ ଠିକା କର୍ମଚାରୀମାନେ । ଆଜି ଅପରାହ୍ଣରେ ଭଦ୍ରକ ନୂଆବଜାର ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଏ ନେଇ ଏକ ସଭାର ଆୟୋଜନ କରିଥିଲେ । ଏଥିରେ ଯୁବ ଆଇନଜୀବୀ ରଂଜନ ପଣ୍ଡା ପୌରୋହିତ୍ୟ କରିଥିଲେ । ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ସାଧାରଣ ସମ୍ପାଦକ ଅମର ଜୁମର ପ୍ରତାପ ସିଂ, ମୁଖ୍ୟବକ୍ତା ଭାବେ ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ଯୁଗ୍ମ ସମ୍ପାଦକ ପ୍ରିୟବ୍ରତ ନାୟକ, ଟିପିଏନଓଡିଏଲ୍ର ଜୋନାଲ ସମ୍ପାଦକ ହରିଶ୍ ଚନ୍ଦ୍ର ଦାସ ଓ ସଂଗଠନ ସମ୍ପାଦକ ବଟକୃଷ୍ଣ ଜେନା ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ସଭାରେ ମିଟର ରିଡିଂ କର୍ମଚାରୀ, କଣ୍ଟ୍ରୋଲ ରୁମ୍ କର୍ମଚାରୀ, ମେଣ୍ଟେନାନ୍ସ୍ କର୍ମଚାରୀ, କଲେକ୍ସନ କର୍ମଚାରୀ ମିଳିତ ଭାବେ ଯୋଗ ଦେଇ ସ୍ଥାୟୀ ଚାକିରି, ସମାନ କାମକୁ ସମାନ ଦରମା, ଠିକା କର୍ମଚାରୀଙ୍କ ବଦଳି ବନ୍ଦ ଭଳି ବିଭିନ୍ନ ଦାବି ଉପସ୍ଥପାନ କରିଥିଲେ । କର୍ମଚାରୀଙ୍କ ମଧ୍ୟରେ ବହୁ ଉଚ୍ଚ ଶିକ୍ଷିତ ପିଲା ରହିଥିଲେ ମଧ୍ୟ ସେମାନଙ୍କୁ ସୋମନଙ୍କ ଯୋଗ୍ୟତା ଅନୁସାରେ କାର୍ଯ୍ୟ ଦିଆଯାଉ ନାହିଁ । ସ୍ୱଳ୍ପ ଦରମାେରେ ଘର ପାଖରେ ରହି କାମ କରି ପାରୁଥିବା କର୍ମଚାରୀଙ୍କୁ ନିଜ ଘରଠାରୁ ବହୁ ଦୂରକୁ ବଦଳି କରିବା ଦ୍ୱାରା ସେଠାରେ ଘରଭଡ଼ା ନେଇ ପିଲାଛୁଆଙ୍କୁ ଧରି ସ୍ୱଳ୍ପ ଦରମାରେ କିପରି କାମ କରିହେବ ସେ ନେଇ ପ୍ରଶ୍ନ ଉଠାଇଥିଲେ । କମ୍ପାନୀ ନିଜେ କିଛି ନ ବୁଝି ଏଜେନ୍ସି ଉପରେ ନିର୍ଭର କରୁଥିବାରୁ କର୍ମଚାରୀମାନେ ଦୁର୍ଦ୍ଦିନର ଶିକାର ହେଉଛନ୍ତି ବୋଲି ଆରୋପ କରିଥିଲେ । ନିଜର ହକ୍ ହାସଲ ପାଇଁ ଠିକା କର୍ମଚାରୀ ଏକ ହେବାକୁ ସଂଘ ପକ୍ଷରୁ ଆହ୍ୱାନ ଦିଆ ଯାଇଥିଲା । ଏହି ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଭଦ୍ରକର ବିଭିନ୍ନ ସର୍କଲ ପାଇଁ ସର୍କଲ ସ୍ତରୀୟ ନେତା ଚୟନ କରାଯାଇଥିଲା । ଏମାନଙ୍କ ମଧ୍ୟରେ ଭଦ୍ରକ ସର୍କଲ ଆଡ୍ଭାଇଜର ଭାବେ ଆଇନଜୀବୀ ରଂଜନ କୁମାର ପଣ୍ଡା, ଡେପୁଟି ସର୍କଲ ସେକ୍ରେଟାରୀ ନିରାକାର ପତି, ସର୍କଲ ଅର୍ଗାନାଇଜର କମଲ କୁମାର ପଣ୍ଡା, ବିଏନ୍ଇଡିର ଡେପୁଟି ଡିଭିଜନାଲ ସେକ୍ରେଟାରୀ ଭାବେ ଦେବବ୍ରତ ରାଉଳ, ଆସିଷ୍ଟାଣ୍ଟ ସେକ୍ରେଟାରୀ ଶଶିକାନ୍ତ ମିଶ୍ର, ଅର୍ଗାନାଇଜିଂ ସେକ୍ରେଟାରୀ ଦେବାଶିଷ ମହାନ୍ତି, ବିଏସ୍ଇଡିର ଡିଭିଜନାଲ ଡେପୁଟି ସେକ୍ରେଟାରୀ ଭାବେ ଚିତ୍ତରଂଜନ ମହାଳିକ, ଆସିଷ୍ଟାଣ୍ଟ ସେକ୍ରେଟାରୀ ବୀରେନ୍ଦ୍ର ମିଶ୍ର, ଅର୍ଗାନାଇଜିଂ ସେକ୍ରେଟାରୀ ଭାବେ କାର୍ତ୍ତିକ ମହାପାତ୍ରଙ୍କୁ ଚୟନ କରାଯାଇଥିଲା । ଏମାନଙ୍କ ବ୍ୟତୀତ ଏହି ସଭାକୁ ଦିଲିପ ବେହେରା, ବିକାଶ ପଣ୍ଡା, ସୁରେଶ ଓଝା, ମହେଶ୍ୱର ଯେନା, ନିହାରରଂଜନ ଅଗସ୍ତି, ଦ୍ୱାରିକା ନାଥ ପ୍ରମୁଖ ପରିଚାଳନା କରିଥିଲେ ।
ଟାଟା ପାୱାର ପକ୍ଷରୁ ନିଯୁକ୍ତ ଏଜେନ୍ସି ମନମୁଖୀ ଶାସନ – Fast News Network

- Advertisement -
Comment