ଅମୃତ ସହରର ଅପହଞ୍ଚ ଅଞ୍ଚଳ କୁଆଁସ – Fast News Network

Odisha Hot News
3 Min Read

ଭଦ୍ରକ: କୁଆଁସ ଗ୍ରାମ ଭଦ୍ରକ ସହରର ରାଜନୈତିକ, ସାମଜିକ ଓ ଅର୍ଥନୈତିକ ଗୁରୁତ୍ୱ ବହନ କରୁଥିବା ଅଞ୍ଚଳମାନଙ୍କ ମଧ୍ୟରେ ଅନ୍ୟତମ । ମୋଗଲ ସାମ୍ରାଜ୍ୟ ଅମଳରୁ ନିଜର ସ୍ୱତନ୍ତ୍ର ପରିଚୟ ବହନ କରି ଆସୁଥିବା ଏହି ଅଞ୍ଚଳ ଭକ୍ତି ଆନ୍ଦୋଳନର ପୁରୋଧା ଚୈତନ୍ୟଙ୍କୁ ନିଜ ବକ୍ଷରେ ଧାରଣ କରିବା ଓ ପରେ ମୁକ୍ତି ଆନ୍ଦୋଳନ ସମୟରେ ଗାନ୍ଧିଜୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଏହି ଐତିହାସିକ ଭୂମୀ ଅଧୁନା ସମସ୍ୟାରେ ଜର୍ଜରିତ ହୋଇ ତାହାର ପୂର୍ବ ଗୁରୁତ୍ୱ ହରାଇ ବସିଛି । ପରିମଳ ଠାରୁ ଆରମ୍ଭ କରି ଗମନାଗମନ, ପାନୀୟ ଜଳ, ବିଦ୍ୟୁତ୍ ସବୁ ବ୍ୟବସ୍ଥା ଏଠାରେ ବିପର୍ଯ୍ୟସ୍ତ । ଏ ସମସ୍ତ ସମସ୍ୟାର ସମାଧାନ ପାଇଁ ଆସନ୍ତାକାଲି ପୌର ପରିଷଦ ବୈଠକରେ ଦୃଢ଼ ଦାବି ଉପସ୍ଥାପନ କରାଯିବ ବୋଲି ସ୍ଥାନୀୟ ପାରିଷଦ ଜ୍ୟୋର୍ତିମୟୀ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସ୍ଥାନୀୟ ଯୁବନେତା ସଂଦୀପ ଦାସଙ୍କ ସଭାପତିତ୍ୱେରେ ଅନୁଷ୍ଠିତ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଟ୍ଟନାୟକ କହିଥିଲେଯେ, ଦୀର୍ଘବର୍ଷ ଧରି ପୌର ପରିଷଦ ନିର୍ବାଚନ ନହେବା ଓ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀଙ୍କ ବୈମାତୃକ ମନୋଭାବ ଯୋଗୁଁ କୁଆଁସର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ତେଣୁ ବର୍ଜ୍ୟବସ୍ତୁ ଓ ନର୍ଦ୍ଦମା ପାଣି ନିଷ୍କାସନର ଏକମାତ୍ର ମାଧ୍ୟମ ସାଳନ୍ଦୀ ନଦୀକୁ ସଂଯୋଗ କରୁଥିବା ନାଳଗୁଡ଼ିକର ପୁନରୁଦ୍ଧାର ଏକାନ୍ତ ଆବଶ୍ୟକ । ଅନେକ ନାଳର ଉତ୍ପତିସ୍ଥଳ ସାଳନ୍ଦୀ ନଦୀ ଅବବାହିକା ପତନ ଠାରୁ ନିମ୍ନରେ ରହୁଥିବାରୁ ବର୍ଜ୍ୟଜଳ ନିଷ୍କାସିତ ହୋଇନପାରି ରାସ୍ତାରେ ଜମି ରହୁଛି । ୨୦୦୪ ମସିହାରେ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ନିର୍ମିତ ଏକ ଗୁରୁତ୍ୱପୂର୍ଣ୍ଣ ନାଳ କଦମବେଢ଼ା ନିକଟସ୍ଥ ତଣ୍ଡିସାହି, ବଢ଼େଇ ସାହି, ମହାନ୍ତି ସାହି ମଧ୍ୟ ଦେଇ ସାଳନ୍ଦୀ ନଦୀକୁ ସଂଯୋଗ କରୁଥିବାବେଳେ, ତାହା ଏବେ ଆବର୍ଜନା, ପ୍ଲାଷ୍ଟିକ ବୋତଲରେ ପୋତି ହୋଇ ପଡ଼ିଛି ।
ଏହି ପ୍ରମୁଖ ନାଳଟି ନିକଟସ୍ଥ ଏକ ଧାନ ପ୍ରକ୍ରିୟାକରଣ ସଂସ୍ଥାର ପଚା ପାଣି ଦ୍ୱାରା ଆଛାଦିତ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରି ଚାଲିଛି । ଏକ ନିର୍ମାଣାଧିନ ଚିକିତ୍ସାଳୟ ମଧ୍ୟ ଏହାର ତରଳ ବର୍ଜ୍ୟ ଓ ସଂକ୍ରାମକ ପାଣିକୁ ଏହି ନାଳ ମାଧ୍ୟମରେ ଛାଡ଼ିବାର ମସୁଧା ଚଳାଇଛି । ତେଣୁ ଏହି ନାଳର ପୁୁନରୁଦ୍ଧାର ନିହାତି ଆବଶ୍ୟକ । ସେହିପରି ମୁଖ୍ୟ ସହରକୁ ଏକ ବିସ୍ତିର୍ଣ୍ଣ ଅଞ୍ଚଳ ସହ ସଂଯୋଗ କରୁଥିବା ତଥା ଲାଇଫଲାଇନର ପରିଚୟ ପାଇଥିବା ଅର୍ଜୁନ ସେତୁକୁ ୨ବର୍ଷ ହେଲା ଭାଙ୍ଗି ଦିଆଯାଇଛି । ଫଳରେ କୁଆଁସ ଏକ ବିଛିନ୍ନାଞ୍ଚଳରେ ପରିଣତ ହୋଇଛି । ନିର୍ମାଣର ଗତିଶୀଳତାକୁ ଲକ୍ଷ୍ୟ କଲେ ଆସନ୍ତା ବର୍ଷା ଋତୁ ପୂର୍ବରୁ ଏହା ଶେଷ ହେବାର ସମ୍ଭାବନା ଦେଖାଯାଉ ନାହିଁ । ଅଞ୍ଚଳବାସୀଙ୍କ ତରଫରୁ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ ହୋଇ ସୁଦ୍ଧା, ଅଧିକାରୀମାନଙ୍କର ଠିକାଦାର ପ୍ରିତୀ ଏହାର ନିର୍ମାଣ ବିଳମ୍ବର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି । ଯଦି ଏ ପରିସ୍ଥିତି ଲାଗି ରହେ ତେବେ ଖୁବ କମ୍ ଦିନ ମଧ୍ୟରେ ଏହି ଜନ ଅଶାନ୍ତି ଏକ ତୀବ୍ର ଆନ୍ଦୋଳର ରୂପ ନେବ ବୋଲି ସେ ଚେତାଇଦେଇଛନ୍ତି । ଅନୁରୂପ ରକ୍ଷଣାବେକ୍ଷଣ ଅଭାବରୁ ଗ୍ରାମ ମଧ୍ୟସ୍ଥ ଅନେକ ରାସ୍ତା ଗମନାଗମନ ଅନୁପଯୋଗୀ ହୋଇପଡ଼ିଛି । ଛକ ଓ ଜନବହୁଳ ସ୍ଥାନରେ ଉଜ୍ୱଳ ଆଲୋକର ବ୍ୟବସ୍ଥା ନାହିଁ । ନଦୀପଠାରେ ନିଶାସକ୍ତ ଓ ଅସାମାଜିକ ବ୍ୟକ୍ତିଙ୍କ ସଂଘବଦ୍ଧ ଉୁପସ୍ଥିତି ଗ୍ରାମର ସାମାଜିକ ସନ୍ତୁଳନକୁ ନଷ୍ଟ କରି ସାରିଛି । ତେଣୁ ଏସମସ୍ତ ସମସ୍ୟାର ସମାଧାନ ପାଇଁ ଆଗାମୀ ପୌର ବୈଠକରେ ପୌରାଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପ୍ରଭାତ ମହାନ୍ତି, ସୂର୍ଯ୍ୟବଂଶୀ ସୂରଜ, ରବିନ୍ଦ୍ର ବେହେରା, ଦେବଦତ୍ତ ଦାସ, କାଳିଆ ମହାନ୍ତି ପ୍ରମୁଖ ଉକ୍ତ ସମ୍ମିଳନୀରେ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ ।

Share This Article