ଖୋର୍ଦ୍ଧା: ବିଜେଡିର ମିଶ୍ରଣ ପର୍ବ । ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡିରେ ମିଶିଛନ୍ତି ଖୋର୍ଦ୍ଧା ପୌର ପରିଷଦର ୫ ଜଣ ସ୍ୱାଧୀନ କାଉନସିଲର । ୮ ନମ୍ବର ୱାର୍ଡର ସୁଶାନ୍ତ ଜେନା,୯ ନମ୍ବର ୱାର୍ଡର ରଶ୍ମିତା ବେହେରା, ୧୦ ନମ୍ବର ୱାର୍ଡର ମୋନାଲିସା ସିଂ, ୧୪ ନମ୍ବର ୱାର୍ଡର ନର୍ମଦା ଦାସ ଓ ୨୦ ନମ୍ବର ୱାର୍ଡର ଅନୀଲ କୁମାର ରାମ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି ।
ଦଳୀୟ ଉତ୍ତପୀୟ ଦେଇ ଦଳକୁ ସ୍ୱାଗତ କରାଯାଇଛି । ସାଂସଦ ମୁନା ଖାଁ, ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୁତି ବଲବନ୍ତରାୟ, ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ଏମାନଙ୍କ ଯୋଗଦାନ ଖୋର୍ଦ୍ଧା ଜିଲ୍ଲାରେ ବିଜେଡି ସଂଗଠନକୁ ଆଗକୁ ନେବାରେ ସହାୟକ ହେବ ବୋଲି କହିଛନ୍ତି ବିଜେଡି ନେତା ।
ସେହିପରି ରାଜଧାନୀରେ ବଢ଼ିଲା ବିଜେଡି ବଳ । ବିଜେଡିରେ ମିଶିଲେ ଭୁବନେଶ୍ୱର ୯ ନମ୍ବର ୱାର୍ଡର ସ୍ୱାଧୀନ କର୍ପୋରେଟର ସୁଷମା ସାହୁ । ସେ ଚଳତି ପୌର ନିର୍ବାଚନରେ ବିଜେଡି ଟିକେଟ ନ ପାଇ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ । ୫୬୭ ଖଣ୍ଡ ଭୋଟରେ ସେ ଜିତିଥିଲେ । ସେ ଦଳରେ ଥିଲେ ଆଉ ଆଜି ବିଜେଡିକୁ ଭୁବନେଶ୍ୱର ମହାନଗର ନିଗମରେ ସମର୍ଥନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ବି ନିର୍ଦ୍ଦେଶ ଦେବେ, ତାକୁ ପାଳନ କରି କାମ କରିବେ ବୋଲି କହିଛନ୍ତି ସୁଷମା ସାହୁ । ଏହି ମିଶ୍ରଣ ଉତ୍ସବରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ଥିଲେ ।
ବିଜେଡିରେ ମିଶିଲେ ଖୋର୍ଦ୍ଧା ପୌର ପରିଷଦର ୫ ସ୍ୱାଧୀନ କାଉନସିଲର

Comment