ଜଟଣୀ: ଏକଦା କଂଗ୍ରେସର ଗଡ଼ ଥିବା ଜଟଣୀ ପୌରପରିଷଦକୁ ଧ୍ବସ୍ତ କରିଛି ବିଜେଡି। ପୂର୍ବ ନିର୍ବାଚନଗୁଡ଼ିକରେ କଂଗ୍ରେସ ଏଠାରେ ବିଜୟୀ ହୋଇ ଆସୁଥିବା ବେଳେ କଂଗ୍ରେସର ଏହି ଧାରାରେ ଏବେ ବ୍ରେକ୍ ଲାଗିଛି। ଚଳିତ ପୌର ନିର୍ବାଚନରେ ସମସ୍ତ କଳ୍ପନାଜଳ୍ପନାକୁ ପଛରେ ପକାଇ ଶାସକ ଦଳ ନଗରପାଳ ସମେତ ୧୧ଟି କାଉନସିଲର ପଦ ହାତେଇବାରେ ସଫଳ ହୋଇଛି। ଅପରପକ୍ଷରେ କଂଗ୍ରେସକୁ କେବଳ ୫ଟି ଆସନ୍ତରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେହିପରି ବିଜେପିକୁ ମାତ୍ର ଗୋଟିଏ ଆସନ ମିଳିଥିବା ବେଳେ ସ୍ବାଧୀନ ପ୍ରାର୍ଥୀଙ୍କୁ ୫ଟି କାଉନ୍ସିଲର ପଦ ମିଳିଛି।
ଶାସକ ଦଳର ପ୍ରାର୍ଥୀ ଚୟନ ଓ ଦୃଢ ସଂଗଠନ ଦ୍ବାରା ଜଟଣୀ ପୌର ପରିଷଦରେ ବିଜୟୀ ଶଙ୍ଖ ବାଜିବାର ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଛି। କଂଗ୍ରେସ ଦଳର ବିଧାୟକଙ୍କ ଅନାଗ୍ରହତା ସାଙ୍ଗକୁ ଭୁଲପ୍ରାର୍ଥୀ ଚୟନ ହିଁ ପରାଜୟର କାରଣ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଆଗାମୀ ଦିନରେ ସହରବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ରଖିବାରେ କେବେ ହେଁ ଖିଲାପ ନ କରି ଜଟଣୀର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ସତ୍ୟ ବିଜେତା ପୌରାଧ୍ୟକ୍ଷ ଅନନ୍ତ ବେହେରା ପ୍ରକାଶ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଉପନଗରପାଳ ମଧ୍ୟ ବିଜେଡି ଦଳରୁ ଚୟନ ହେବେ ବୋଲି ଏଥିରେ କୌଣସି ସନ୍ଦେହ ନାହିଁ। ଗଡ଼ ହରାଇଥିବା କଂଗ୍ରେସ ଦଳ ଆଗକୁ କଣ ରଣନୀତି ପ୍ରସ୍ତୁତ କରୁଛି ଦେଖିବାକୁ ବାକି ରହିଲା।
କଂଗ୍ରେସ ଗଡ଼ରେ ବିଜେଡିର ଶଙ୍ଖନାଦ – Fast News Network

Comment